ଏଣିକି ଜାଲ ଭୋଟର ଧରାପଡ଼ିଲେ ଯିବେ ଜେଲ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ହେଲେ ନିର୍ବାଚନ ପୂର୍ବରୁ ହିଁ ଭୋଟରମାନଙ୍କୁ ନିର୍ବାଚନ କମିଶନ ସତର୍କ କରାଇଥିବାର ଦେଖିବାକୁ ମିଳିଛି । ତେବେ ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ୍ ଦେବାବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ। ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ଭୋଟର ତାଲିକାରେ ଥିବା ଦରକାର ଏବଂ ତାଙ୍କ ପାଖରେ ବୈଧ ପରିଚୟ ପତ୍ର ଥିବା ଦରକାର। ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତେବେ ସେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଚାଲେଞ୍ଜ କରିପାରିବେ। ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରି ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପ୍ରିଜାଇଡିଂ ଅଫିସର ଅଭିଯୋଗର ଯାଞ୍ଚ କରିବେ। ଅଭିଯୋଗ ସତ ପ୍ରମାଣିତ ହେଲେ ଜାଲ୍ ମତଦାତାଙ୍କୁ ପୁଲିସ ଜିମାରେ ଦିଆଯିବ।

ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ତାଙ୍କୁ ଫେରାଇ ଦିଆଯିବ। ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ। ସେହିପରି ଯଦି କୌଣସି ବ୍ୟକ୍ତି ନାଁରେ ଅନ୍ୟ କେହି ଭୋଟ୍ ଦେଇ ପଳାଇଥିବେ ତେବେ ସେ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କୁ ଟେଣ୍ଡର୍ଡ ଭୋଟ୍ ପାଇଁ ଅନୁମତି ଦିଆଯିବ। ମାତ୍ର ସେ ଭୋଟ ଦେଇଥିବା ବାଲଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ନାହିଁ। ପରେ କୋର୍ଟ ନିର୍ଦ୍ଦେଶ ଆସିଲେ, ଭୋଟ୍ର କାଉଣ୍ଟିଂ ହେବ। ଅପରପକ୍ଷେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସରମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା କମିସନଙ୍କ ପକ୍ଷରୁ କୁହାଯାଇଛି।

Related Posts