
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟର ତିନି ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୁଖ୍ୟ ବିଚାରପତି ଏସ. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ସେପଟେ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୩ ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀଙ୍କ ପୁଅ ହେଉଛନ୍ତି ଭି.ନରାସିଂହ। ୧୯୬୭ ଜାନୁଆରି ୧୯ରେ ଭି.ନରାସିଂହ ଜନ୍ମ ଗ୍ରହଣ କରିଥିଲେ।
ଭୁବନେଶ୍ୱର ୟୁନିଟ ୧ ସରକାରୀ ବାଳକ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ମଧୁସୂଦନ ଆଇନ କଲେଜରେ କିଛି ଦିନ ଶିକ୍ଷା ଦାନ କରିଥିଲେ। ୧୯୮୯ରେ ସେ ଓକିଲାତି ଆରମ୍ଭ କରିଥିଲେ। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଥିଲେ। ସିବିଆଇ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା। ବହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ସହିତ ସାଧାରଣ ବୀମା କମ୍ପାନି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏନଏଚଏଆଇ ପାଇଁ ସେ ମାମଲା ପରିଚାଳନା କରୁଥିଲେ।
ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ହେଉଛନ୍ତି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ। ସେ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ସେ ରେଭେନ୍ସାରୁ ଆଇ.କମ୍, ବି.କମ୍ (ସମ୍ମାନ) ଓ ଏମ୍.କମ୍ ଡିଗ୍ରି ହାସଲ କରିଥିଲେ। ୧୯୯୩ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ବହୁ ଗିରବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ସୁନାମ ରହିଛି। ସେହିପରି ୧୯୭୦ ଜୁନ୍ ୮ରେ ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ଭାବେ ମୁରାହରି ଶ୍ରୀ ରମଣ ଜନ୍ମ ଗ୍ରହଣ କରିଥିଲେ। ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ। ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ।