ଛତିଶଗଡ ରେ ପୋଲିସ ଗୁଳିରେ ୩ ଆଦିବାସୀ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କାଲି ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଗୁଳିରେ ତିନି ଜଣ ଆଦିବାସୀ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଆଦିବାସୀ ମାନଙ୍କ ବିରୋଧର କାରଣ ହେଲା ଜଙ୍ଗଲରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା। ସାମ୍ବାଦିକ ଆଶୁତୋଷ ଭରଦ୍ୱାଜ ଏହି ଘଟଣାର ଭିଡିଓ ଫୁଟେଜ୍ ଭିଡିଓ ଟୁଇଟରରେ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଉଛନ୍ତି ଏବଂ ସେମାନେ ଦୌଡି ଚାଲିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେହି ସ୍ଥାନରେ ମାଓବାଦୀ ଥିବା ସନ୍ଦେହରେ ପୁଲିସ ଗୁଳି ଚଲାଇଥିବା କହିଛି। ତେବେ ପୁଲିସର ଏହି ଅଭିଯୋଗକୁ ସେଠାକାର ଜଣେ ବିକ୍ଷୋଭକାରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ସେମାନଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି ଯେ ମାଓବାଦୀଙ୍କ ଚାପରେ ଗ୍ରାମବାସୀ ସିଲଗରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ “ରବିବାର ରାତିରେ ବିକ୍ଷୋଭକାରୀ ମାନେ ଗାଁ କୁ ଫେରିଥିଲେ। କିନ୍ତୁ ମାଓବାଦୀଙ୍କ ଜାଗାରଗୋଣ୍ଡା ଅଞ୍ଚଳ କମିଟିର କିଛି ମାଓବାଦୀଙ୍କ ସମେତ କିଛି ଲୋକ ପୋଲିସ କ୍ୟାମ୍ପରେ ପହଞ୍ଚି ସୋମବାର ଅପରାହ୍ନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯେତେବେଳେ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ସୁରକ୍ଷା କର୍ମୀମାନେ କାଉଣ୍ଟର ଆକ୍ରମଣ ଆରମ୍ଭ କରିଥିଲେ। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଗୁଳି ବିନିମୟରେ ନିହତ ହୋଇଥିବା ବ୍ୟକ୍ତି ସାଧାରଣ ନାଗରିକ କି ମାଓବାଦୀ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଗତ ଏପ୍ରିଲ ମାସରେ ଯେଉଁଠାରେ ମାଓବାଦୀଙ୍କ ଏନକାଉଣ୍ଟରରେ ୨୨ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା ସେହି ସ୍ଥାନଠାରୁ ଏହି ସ୍ଥାନ 10 କିଲୋମିଟର ଦୂରରେ ଅବସ୍ଥିତ ।

Related Posts