ରାହୁଲ ଗାନ୍ଧୀଙ୍କ ଚେତାବନୀ : ପିଲାମାନଙ୍କ ପାଇଁ ଆଜିଠୁ କୋଭିଡ୍ ଟିକାକରଣ ପ୍ରୋଟୋକଲ୍ ପ୍ରସ୍ତୁତ ରଖ

ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ଯାଇନି ତୃତୀୟ ଲହର ପାଇଁ ଚେତାବନୀ ଦେଲେଣି ବିଶେଷଜ୍ଞ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅକଳନ ଅନୁଯାୟୀ, ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ ଅଧିକ ଘାତକ ସାବ୍ୟସ୍ତ ହେବ । ତେବେ ଆଗକୁ ଆସୁଥିବା ଏହି ସଙ୍କଟ ପର୍ବରୁ ମୋଦୀ ସରକାରଙ୍କୁ ଚେତାଇ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଟୁଇଟ କହିଛନ୍ତି ଯେ ଆମର ଭବିଷ୍ୟତ ପିଢି ଅର୍ଥାତ୍ ପିଲାମାନଙ୍କୁ ସୁରକ୍ଷିତ ରଖିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ଆଜିଠୁ ଟୀକାକରଣ ଏବଂ ଶିଶୁ ମାନଙ୍କୁ ପାଇଁ ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରିବା ଆବଶ୍ୟକ। ବିପଦ ଆସିବା ପୂର୍ବରୁ କେନ୍ଦ୍ର ସରକାର ପ୍ରୋଟୋକଲ ପ୍ରସ୍ତୁତ କରିବା ଉଚିତ୍। ସେ ଟୁଇଟ କରି କହିଛନ୍ତି, “ ଆଗାମୀ ଭବିଷ୍ୟତରେ ପିଲାମାନଙ୍କୁ କରୋନାରୁ ସୁରକ୍ଷିତ ରଖିବା ଆବଶ୍ୟକ । ଏଥିପାଇଁ ଚିକିତ୍ସା ଭିତ୍ତିଭୂମି ଏବଂ ଟୀକାକରଣ ପ୍ରୋଟୋକଲ ପ୍ରସ୍ତୁତ ରଖିବା ଆବଶ୍ୟକ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିପାଇଁ ମୋଦୀ ସରକାରଙ୍କ ‘ସିଷ୍ଟମ’ର ନିଦ ଆଜିଠାରୁ ଭାଙ୍ଗିବା ଆବଶ୍ୟକ।

ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗୁଡିକ ପିଲାମାନଙ୍କ ଉପରେ କୋଭିଡ ଟୀକାକରଣକୁ ଅନୁମୋଦନ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଆମେରିକାରେ ମେ ୧୪ ତାରିଖରେ 12-15 ବର୍ଷ ବୟସର ପିଲାମାନଙ୍କୁ Pfizer-BioNtech ଟିକା ଦେବାକୁ ବାଇଡେନ୍ ପ୍ରଶାସନ ଅନୁମତି ଦେଇଛନ୍ତି। ଏହି ଟୀକାକରଣ ଡ୍ରାଇଭରେ 17 ନିୟୁତ କିଶୋର କିଶୋରୀଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଆମେରିକା ପୂର୍ବରୁ, କାନାଡା 5 ମଇରେ 12-15 ବର୍ଷ ବୟସ ମଧ୍ୟରେ ଥିବା ଫାଇଜର-ବାୟୋଟେକ୍ ଟିକା ଦେବାକୁ ଅନୁମୋଦନ କରିଥିଲା। ୟୁରୋପୀୟ ମେଡିକାଲ ଏଜେନ୍ସି ମଧ୍ୟ ପିଲାମାନଙ୍କୁ ଫାଇଜର ଟିକା ଦେବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ଭାରତର ଡ୍ରଗ୍ ରେଗୁଲେଟର କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ 2 ରୁ 18 ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଟ୍ରାଏଲ୍ କରିବା ପାଇଁ ଅନୁମତି ଦେଇଥିଲା। ଏହି ଟ୍ରାଏଲ୍ ରେ 525 ଜଣ ଭାଗ ନେବେ ବୋଲି ଆଶା କରାଯାଉଛି। ସ୍କୁଲ , କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକର ପାଠପଢା ସ୍ବାଭାବିକ କରିବାକୁ ହେଲେ 18 ବର୍ଷରୁ କମ୍ ବୟସର ପିଲାଙ୍କୁ ଟୀକାକରଣ କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମାନେ ଗୁରୁତ୍ୱ ଦେଇଛନ୍ତି।

Related Posts