ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କ ବଦଳରେ ଦଳୀୟ କର୍ମୀ ପାଇଛନ୍ତି ଜାଗା; କଂଗ୍ରେସ ଆଣିଲା ବଡ ଅଭିଯୋଗ

ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଜାଗା ମିଶନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ସାରା ଓଡ଼ିଶାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଥିରେ ଦଳୀୟ କର୍ମୀ ଜାଗା ପାଉଛନ୍ତି । ଯେଉଁମାନଙ୍କର ଦୁଇ ମହଲା ଘର ଅଛି ସେମାନଙ୍କ ନାଁ ତାଲିକାରେ ସ୍ଥାନ ପାଇଥିବା ସେ କହିଛନ୍ତି।

ବିଜୟ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ସହରାଞ୍ଚଳରେ ଥିବା ବସ୍ତିର ବିକାଶ ପାଇଁ କେନ୍ଦ୍ରରେ ଉପା ସରକାର ସମୟରେ ଯୋଜନା କରାଯାଇଥିଲା । ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ଜାଗା ମିଶନ ଯୋଜନା କଲେ । ୨୦୧୧ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି । ହେଲେ ରାଜ୍ୟ ସରକାର ୨୦୨୩ ରେ ନୂଆ ତାଲିକା କରିଛନ୍ତି । ଏହି ନୂଆ ତାଲିକାରେ ଦୁଇ ମହଲା କୋଠା, ପ୍ରଭାବଶାଳୀ ଲୋକ, ବଡ ବଡ ଦୋକାନ ଥିବା ଲୋକଙ୍କ ନାଁ ରହିଛି ।

ଗତ ୧୧ ତାରିଖରେ ତାଲିକା ପ୍ରକାଶ ପାଇଥିବାବେଳେ ଏହାକୁ ନେଇ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିରେ ଦଳୀୟ ଲୋକଙ୍କୁ ଜାଗା ଦିଆଯାଇଛି । ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି । ସେଥିରେ ଗୋଟିଏ ଦିନ ରବିବାର ରହିଛି । ଏଥିରୁ ଜଣା ପଡୁଛି ସରକାରଙ୍କ ପକ୍ଷରୁ ଚଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରିଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ବଦଳରେ ନୂଆ ତାଲିକା କରାଯାଉ ଏବଂ ଏହି ତାଲିକାକୁ ନେଇ କୌଣସି ଅଭିଯୋଗ ଥିଲେ ଅଭିଯୋଗପତ୍ର ଦାଖଲ କରିବା ପାଇଁ କିଛି ଦିନର ସମୟ ଦିଆଯାଉ । ଯାହା ଦ୍ୱାରା ସ୍ୱଚ୍ଛତାର ସହ ଜାଗା ମିଶନରେ ସହରାଞ୍ଚଳ ବସ୍ତିବାସିନ୍ଦା ଉପକୃତ ହୋଇପାରିବେ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି।

Related Posts