ଫାଶୀଠାରୁ କମ୍‌ କଷ୍ଟଦାୟକ ମୃତ୍ୟୁଦଣ୍ଡର ବିକଳ୍ପ କ’ଣ ?; ବିଚାର କରିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୨/୩(ସତ୍ୟପାଠ ବ୍ୟୁରୋ): ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କୁ କମ୍ କଷ୍ଟଦାୟକ ମୃତ୍ୟୁଦଣ୍ଡ ଦେବା ପାଇଁ ଦାଖଲ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌) ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଫାଶୀଦଣ୍ଡ ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଅଟେ। ତେଣୁ ଏହା ବଦଳରେ ଦୋଷୀଙ୍କୁ ଯେଉଁ ପ୍ରକ୍ରିୟାରେ କମ୍‌ କଷ୍ଟ ଅନୁଭୂତ ହେବ ସେଭଳି ମୃତ୍ୟୁଦଣ୍ଡ ଦିଆଯିବାକୁ ଆବେଦନକାରୀ ଦର୍ଶାଇଥିଲେ । ଏଥିସହ ଫାଶୀ ବଦଳରେ ଦୋଷୀଙ୍କୁ ଗୁଳି କରିଦେବା, ଇଞ୍ଜେକଶନ ଦେବା କିମ୍ବା କରେଣ୍ଟ ଲଗାଯିବା ପାଇଁ ପିଟିସନରେ ପ୍ରସ୍ତାବ ଦିଆଯାଇଥିଲା ।

ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ଦିଗରେ ସଙ୍କେତ ଦେଇଛନ୍ତି । ଏଥିସହ ଫାଶୀ ବଦଳରେ କମ୍‌ କଷ୍ଟଦାୟକ ମୃତ୍ୟୁଦଣ୍ଡର କ’ଣ ବିକଳ୍ପ ରହିଛି ତାହା ଉପରେ ଚିନ୍ତା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ପି.ଏସ୍‌. ନରସିହ୍ନାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଶୁଣାଣିବେଳେ କେନ୍ଦ୍ର ସରକାରଙ୍କୁ କିଛି ତଥ୍ୟ ମାଗିଛନ୍ତି । ଫାଶୀ ଲଗାଯିବାର କେତେ ସମୟ ପରେ ଦୋଷୀଙ୍କ ମୃତ୍ୟୁ ହୁଏ, ଫାଶୀବେଳେ କେତେ ଯନ୍ତ୍ରଣା ହୋଇଥାଏ, ଫାଶୀରେ କେଉଁ ପ୍ରକାରର ଉପକରଣ ଆବଶ୍ୟକ ପଡ଼ିଥାଏ ଆଦି ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ କହିଛନ୍ତି । ଏଥିସହ ଫାଶୀର ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ମଧ୍ୟ ସୁପ୍ରିମକୋର୍ଟ ଆଲୋଚନା କରିଛନ୍ତି । ବିଜ୍ଞାନ ଏବଂ ଟେକ୍ନୋଲୋଜି ନିକଟରେ ଫାଶୀଠାରୁ ଭଲ ମାନବୀୟ ବିକଳ୍ପ ଉପଲବ୍ଧ ଅଛି କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨ରେ ହେବ ବୋଲି ସୂଚନା ମିଳିଛି ।

Related Posts