ଝାଡ଼ଖଣ୍ଡରେ ହେମନ୍ତ ସରକାର ପାଇଁ ବଢ଼ିଲା ସଙ୍କଟ, ୟୁପିଏ ବୈଠକରେ ଯୋଗଦେଲେ ନାହିଁ ଜେଏମ୍‌ଏମ୍‌ ଓ କଂଗ୍ରେସର ୧୧ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡରେ ଧୀରେ ଧୀରେ ରାଜନୈତିକ ମାହୋଲ୍ ସରଗରମ ହେବାରେ ଲାଗିଛି। କ୍ଷମତାସୀନ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଦେଖାଦେଇଛି। ବାରମ୍ବାର ବିଜେପି ପକ୍ଷରୁ ରାଜ୍ୟରେ ସରକାର ଭାଙ୍ଗିଯିବା ନେଇ ବୟାନ ଦିଆଯାଉଛି। ଏହାରି ଭିତରେ ୟୁପିଏର ଶକ୍ତି ପ୍ରଦର୍ଶନ ପାଇଁ ଶନିବାରର ଦିନ ବିଧାୟକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲା। ମାତ୍ର ଏହି ବୈଠକ ରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସର ମୋଟ ୧୧ ଜଣ ବିଧାୟକ ଯୋଗ ଦେଇନାହାନ୍ତି। ଦଳର ନିର୍ଦ୍ଦେଶକୁ ଅଣଦେଖା କରି ସେମାନେ ବୈଠକରେ ସାମିଲ ହୋଇନଥିବାରୁ ଆଗକୁ ହେମନ୍ତ ସୋରେନ ସରକାର ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ୮୨ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ୟୁପିଏ ବୈଠକରେ କେବଳ ୩୭ ବିଧାୟକ ହିଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବିଧାୟକମାନଙ୍କ ଏଭଳି ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିଦ ହଜାଇ ଦେଇଛି। ଅଧିକାଂଶ ବିଧାୟକ ସେମାନେ ଅନୁପସ୍ଥିତି ରହିବା ପଛର କାରଣ ସ୍ପଷ୍ଟ କରିନଥିବା ବେଳେ ଆଉ କେତେକ ବିଧାୟକଙ୍କ ସଫେଇ ସନ୍ଦେହଜନକ ବୋଲି କୁହାଯାଉଛି। ୟୁପିଏ ବୈଠକରେ ଅଧ୍ୟକ୍ଷତା କରିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କ ଏଭଳି ଆଚରଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ରାଜ୍ୟର ମରୁଡ଼ି ସ୍ଥିତି ସହିତ ଶାସକ ଦଳର ବିଧାୟକମାନଙ୍କ ବିଭିନ୍ନ ଦାବି ସଂପର୍କରେ ଆଲୋଚନା ହୋଇଥିଲା।

Related Posts