ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଜେପି ମେୟର ପ୍ରାର୍ଥୀ ମୁକେଶ ଟାଟୱାଲଙ୍କ ପ୍ରଚାର ପାଇଁ ଉଜ୍ଜୟିନୀରେ ଏକ ଜନସଭାକୁ ସମ୍ବୋଧନ ଦେଇଥିଲେ । ଏହି ସଭାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମଧ୍ୟପ୍ରଦେଶରେ ନିଜ ସରକାରକୁ ବଞ୍ଚାଇ ପାରିନଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ କଂଗ୍ରେସ ମହାରାଷ୍ଟ୍ର ମିଳିତ ସରକାର ବଞ୍ଚାଇବା ପାଇଁ ମୁମ୍ବାଇ ପଠାଇଛି । ଯିଏ ମଧ୍ୟପ୍ରଦେଶରେ ନିଜର ଗାଦିକୁ ରକ୍ଷା କରିପାରିଲେ ନାହିଁ ସେ କେମିତି ମହାରାଷ୍ଟ୍ର ସରକାରଙ୍କୁ ରକ୍ଷା କରିପାରିବେ ବୋଲି କହିଛନ୍ତି । ଏହା ସହ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଲୋକଙ୍କ ଜୀବନ ବଦଳାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ତେଣୁ ଜିଲ୍ଲାରେ ଜନ କଲ୍ୟାଣ ଯୋଜନା ଏବଂ ବିକାଶ କାର୍ୟ୍ୟ ଏକକାଳୀନ କରାଯାଉଛି । ଜିଲ୍ଲାରେ ଏକ ମେଡିକାଲ୍ ଡିଭାଇସ୍ ପାର୍କ ପ୍ରତିଷ୍ଠା ପରେ ଯୁବକମାନଙ୍କୁ ୧ ଲକ୍ଷ ଚାକିରି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ସେପଟେ ୟୁଏମସିରେ କଂଗ୍ରେସର ବୋର୍ଡ ଚୟନ କରି ଭୁଲ୍ ନକରିବାକୁ ମୁଖ୍ୟମନ୍ତ୍ରୀ ଉଜ୍ଜେୟନବାସୀଙ୍କୁ ଅନୁରୋଧ କରିଥିଲେ । କାହିଁକିନା ସେମାନେ କେବଳ ପରସ୍ପର ସହ ଲଢ଼େଇ କରିବେ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧୋରିବାରେ ଲାଗିଛି ।
