ଓଡ଼ିଶାରେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମରେ ସାମିଲ ହେବେ ୩୦ ପ୍ରତିଶତରୁ ଅଧିକ ମହିଳା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଦେଶବ୍ୟାପୀ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତାମାସ ୩୧ ତାରିଖରେ ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଭୁବନେଶ୍ବସ୍ଥିତ ଇନ୍ଦିରା ପାର୍କରୁ ଏହି ପଦଯାତ୍ରା ଆରମ୍ଭ ହେବ। ଏଥିରେ ପ୍ରଦେଶ ମହିଳା କଂଗ୍ରେସର ୩୦ ପ୍ରତିଶତରୁ ଅଧିକ ମହିଳା ସାମିଲ୍ ହେବେ। ମଙ୍ଗଳବାର ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକରେ ଏହି ସୂଚନା ଦିଆଯାଇଛି।ବୁଥ, ବ୍ଲକ, ଜିଲ୍ଲା ଓ ପ୍ରାଦେଶିକ ସ୍ତରରେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ‘ଭାରତ ଯୋଡ଼ୋ’ ଯାତ୍ରାକୁ ସଫଳ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଏଥିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ଓ ଆରଏସଏସ ଅସହିଷ୍ଣୁ ହୋଇପଡ଼ିଛନ୍ତି। ରାହୁଲ ଗାନ୍ଧି ଦେଶକୁ ଯୋଡ଼ି ରଖିବା ଓ ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ସମସ୍ତଙ୍କର ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶରେ ଓ ରାଜ୍ୟରେ ମହିଳା ଅସୁରକ୍ଷିତ। ରାଜ୍ୟରେ ୩୫ ହଜାରରୁ ଅଧିକ ବୁଥ ରହିଛି ପ୍ରତି ବୁଥରୁ ମାତ୍ର ଦୁଇ ଦୁଇ ଜଣ ସଂଗ୍ରାମୀ ମହିଳାଙ୍କୁ ମହିଳା କଂଗ୍ରେସରେ ସାମିଲ କଲେ ଖୁବଶୀଘ୍ର ଏକ ବୈପ୍ଳବିକ ପରିବର୍ତନ ହୋଇପାରିବ। ଓଡ଼ିଶାରେ ୧୦୦ ଦିନର ପଦଯାତ୍ରାରେ ୨୦ ଲୋକସଭା ନିର୍ବାଚନ ମଣ୍ଡଳୀ, ୨୬ଟି ଜିଲ୍ଲା ଓ ୨୨୫୦ କିଲୋମିଟର ଅତିକ୍ରମ କରାଯିବ। ଶେଷରେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କୁ ନେଇ ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କର ସଭା ଅନୁଷ୍ଠିତ ହେବ ‌ବୋଲି ସେ କହିଛନ୍ତି।

ଏହି ବୈଠକରେ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମରେ ପ୍ରତି ବୁଥରୁ ଅତିକମ୍‌ରେ ୨ଜଣ ମହିଳା ଯୋଗ ଦେବା ପାଇଁ ସ୍ଥିର ହୋଇଛି। ରାଜ୍ୟରେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ବଢ଼ି ଚାଲିଥିଲା ବେଳେ ନବୀନ ପଟ୍ଟନାୟକଙ୍କ ମା’କୁ ସମ୍ମାନ’ ଆହ୍ୱାନ ଏକ ପ୍ରହସନରେ ପରିଣତ ହୋଇଛି। ଏହି ଅବସରରେ ସେ ଅସୁରକ୍ଷିତ, ଦୁଷ୍କର୍ମ ପୀଡ଼ିତା, ନିର୍ଯାତିତ ମହିଳାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ନିତା ଡି ସୌଜାଙ୍କ ଦ୍ୱାରା ପ୍ରଣୀତ ଟୋଲ ଫ୍ରି ନଂ ୧୮୦୦-୨୦୩-୦୫୮୯କୁ ଉଦ୍‌ଘାଟନ କରିଥିଲେ। ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ରାୟ, ଦେବସ୍ମିତା ସାମଲ, ସ୍ୱାଧୀନବାଳା ଦାସ, ବିନ୍ଧାବିନୀ ସାହୁ, ପ୍ରଣତି ମିଶ୍ର, ମଂଜୁଶ୍ରୀ କଳ୍ପନା ରାଉତରାୟ, ମନଜା ମଞ୍ଜରୀ ଦେବୀ, ସୁବାସିନୀ ମହାକୁଡ଼, ପ୍ରତିମା ମଲ୍ଲିକ, କୁସୁମ ପ୍ରଧାନ, ରୁପାଦିପ୍ତା ମହାପାତ୍ର, ସରୋଜିନୀ ବାକ୍ରା, ନିର୍ମଳା ମଲ୍ଲିକ, ରିତାଶ୍ରୀ ମହାନ୍ତି, ମହେନ୍ଦ୍ରୀ ସାହୁ, ସମସିଦା ତାୟବ, ଏଲ ମାଣିକ ପ୍ରଭା, ନିରୁପମା ପାତ୍ର, ରୀନା ସ୍ୱାଇଁ, କନକଲତା ମଲ୍ଲିକ, ସଂଗୀତା ସିଂ, ସୂର୍ଯ୍ୟକାନ୍ତୀ, ବୈଜୟନ୍ତିବାଳା ଦାସ, ମୋନାଲିସା ଦାସ, ସବିତା ଚାନ୍ଦ, ଶ୍ରୀୟାସ୍ମିତା ପଣ୍ଡା, ଅଣ୍ଣପୂର୍ଣ୍ଣା ସାହୁ, କବିତା ମହାକୁଡ଼, ମୋତି କୈବର୍ତ, ରୁଦ୍ର ମଲ୍ଲିକ, ଶୋଭା ସିଂ, ଚୈତାଳି ପଟ୍ଟନାୟକ, ଦୀପ୍ତି ପ୍ରଧାନ, ତପସ୍ୱିନୀ ବିଶ୍ୱାଳଙ୍କ ସମେତ ବହୁ ମହିଳା କଂଗ୍ରେସ କର୍ମୀ ଏହି ସଭାରେ ଯୋଗ ଦେଇଥିଲେ।

Related Posts