ରାଜନୀତିରେ ଯାହା ଦେଖାଯାଏ ତାହା ହୁଏ ନାହିଁ ଏବଂ ଯାହା ହୁଏ, ତାହା ଦେଖାଯାଏ ନାହିଁ:ସଚିନ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ କଂଗ୍ରେସ ସଭାପତି ନିର୍ବାଚନ ଚୟନକୁ ନେଇ ବଡ଼ ବୟାନ ଦେଇଛନ୍ତି। କଂଗ୍ରେସର ସଭାପତି କିଏ ହେବ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜନୀତିରେ ଯାହା ଦେଖାଯାଏ ତାହା ହୁଏ ନାହିଁ ବୋଲି କହିଛନ୍ତି ସଚିନ୍।

ଏହା ସହ ଦଳର ସଭାପତି କିଏ ହେବ ତାହା ଅକ୍ଟୋବରରେ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।
ଏବେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବାକୁ ମନା କରିବା ପରେ ଶଶି ଥରୁର୍ କଂଗ୍ରେସର ଅଧ୍ୟକ୍ଷ ହେବା ପାଇଁ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚାକୁ ନେଇ ପ୍ରଶ୍ନ କରାଯିବାରୁ ପାଇଲଟ କହିଥିଲେ, କେହି ପୂର୍ବରୁ କହିଯାଇଛନ୍ତି ଯେ ରାଜନୀତିରେ ଯାହା ଦେଖାଯାଏ ତାହା ହୁଏ ନାହିଁ ଏବଂ ଯାହା ହୁଏ, ତାହା ଦେଖାଯାଏ ନାହିଁ। ତେଣୁ ସମୟକୁ ଅପେକ୍ଷା କର।

ଅନ୍ୟପକ୍ଷରେ, ଗୁଲାମ ନବୀ ଆଜାଦଙ୍କ ସମେତ ଅନ୍ୟାନ୍ୟ ନେତାଙ୍କ କଂଗ୍ରେସ ଛାଡିବା ନେଇ ପ୍ରଶ୍ନ କରାଯିବା ପ‌ରେ ସେ କହିଛନ୍ତି ଯେ ‌ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କ ନିଷ୍ପତ୍ତି ଠିକ କି ଭୁଲ ତାହା ଲୋକ ଏବଂ ସମୟ ସ୍ଥିର କରିବ।

ବିଜେପିକୁ ଟାର୍ଗେଟ କରି ସଚିନ କହିଛନ୍ତି ଯେ, ଅନ୍ୟ କୌଣସି ରାଜନୈତିକ ଦଳରେ, ବିଶେଷକରି ଭାରତୀୟ ଜନତା ପାର୍ଟି, ଯିଏ ନିଜକୁ ବିଶ୍ୱର ସର୍ବବୃହତ ଦଳ ବୋଲି ଦାବି କରେ, ତାଙ୍କୁ ମୁଁ ପଚାରିବାକୁ ଚାହେଁ ଯେ, ନିଯୁକ୍ତି କିପରି ହୁଏ? ଦଳର ଅଧ୍ୟକ୍ଷ କିଏ ଚୟନ କରନ୍ତି? କିଏ ନାମାଙ୍କନପତ୍ର ପୂରଣ କରନ୍ତି? ଆଜି ପର୍ଯ୍ୟନ୍ତ ବିଜେପିରେ କେହି ନାମାଙ୍କନ ଦାଖଲ କରୁଥିବା ମୁଁ ଦେଖି ନାହିଁ। ହେଲେ କଂଗ୍ରେସରେ ନିର୍ବାଚନ ହେବ ଏବଂ ଅକ୍ଟୋବରରେ ଦଳର ସଭାପତି କିଏ ହେବ ତାହା ସ୍ପଷ୍ଟ ହେବ।

Related Posts