ବିଗତ ୪ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନାରେ ମାତ୍ର ୭ ପ୍ରତିଶତ ଫଣ୍ଡ୍ ରିଲିଜ୍ ହୋଇଛି – ଆରଟିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହରରେ ଭାରତର ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଷୁଡି ପଡିଛି। ଡାକ୍ତରଖାନା ଠାରୁ ଆରମ୍ଭ କରି ଅମ୍ଳଜାନ, ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ଇତ୍ୟାଦିର ଅଭାବ ହେତୁ ଅନେକ ରୋଗୀଙ୍କ ପ୍ରାଣ ଚାଲିଯାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) କୁ ନେଇ ଏକ ବିରାଟ ବଡ ଖୁଲାସା ହୋଇଛି । ପୁଣେର ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ସାରଦାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆରଟିଆଇ ପ୍ରଶ୍ନର ଉତ୍ତର ଅନୁଯାୟୀ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ମାତ୍ର ୭ ପ୍ରତିଶତ ଖର୍ଚ୍ଚ କରିଛି । ମେ ୧୩ ତାରିଖରେ ଦାଖଲ ହୋଇଥିବା ଆରଟିଆଇ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ଯେ ୨୧୩୬୦ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଥିବା ବେଳେ ସେଥିମଧ୍ୟରୁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ମାତ୍ର ୧୫୪୦ କୋଟି ଟଙ୍କା ପାଇଛି। ଭାରତ ୨୦୨୦ ମାର୍ଚ୍ଚ ମାସ ଠାରୁ ଭାରତ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଦେଶର ସର୍ବ ବୃହତ ଜନସ୍ୱାସ୍ଥ୍ୟ ଯୋଜନା – PMJAY ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ସାରଦା ଅଭିଯୋଗ କରିଛନ୍ତି। ଫଣ୍ଡ୍ ରିଲିଜ୍ କରିବାରେ ବିଫଳ ହୋଇଥିବାରୁ ସାରଦା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାୟୀ କରିଛନ୍ତି। ଆରଟିଆଇ ତଥ୍ୟ ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) କୁ ଚାରିଟି ପର୍ଯ୍ୟାୟରେ ମୋଟ 21,360 କୋଟି ଟଙ୍କା ପ୍ରଦାନ କରିବାର ଥିଲା ।

ଏଥିମଧ୍ୟରୁ 2018-19 ରେ 2,160 ଟଙ୍କା ଏବଂ 2019-20 ରେ 6,400 କୋଟି ଟଙ୍କା ରିଲିଜ୍ କରିବାର ଥିଲା । ତେଣୁ, 2020-21 ଏବଂ 2021-22 ରେ 6,400 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା । ତେବେ 21,360 କୋଟି ଟଙ୍କା ମଧ୍ୟରୁ ଗତ ଚାରି ବର୍ଷ ମଧ୍ୟରେ ମାତ୍ର 1,540 କୋଟି ଟଙ୍କା ପ୍ରଦାନ କରାଯାଇଛି। ସାରଦାଙ୍କ ତଥ୍ୟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ଦ୍ୱାରା PMJAY ପାଇଁ ବାର୍ଷିକ କେବଳ 385 କୋଟି ଟଙ୍କା ବଣ୍ଟନ କରାଯାଇଛି।

ଭାରତ ସରକାର ଅମ୍ଳଜାନ, ଭେଣ୍ଟିଲେଟର, ବେଡ୍ , କୋଭିଡ୍ କେୟାର ସେଣ୍ଟର ଏବଂ ଟିକା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଛନ୍ତି। ସାରଦା ଦାବି କରିଛନ୍ତି ଯେ ଯଦି PMJAY କୁ ଠିକ୍ ସମୟରେ ଟଙ୍କା ପ୍ରଦାନ କରାଯାଇଥିଲେ ବର୍ତ୍ତମାନ ଦେଶର ଅବସ୍ଥା ଭିନ୍ନ ହୋଇଥାନ୍ତା। ଏହି ଯୋଜନାକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି। ଆୟୁଷ୍ମାନ ଭାରତ PMJAY ସେପ୍ଟେମ୍ବର 2018 ରେ ଲଞ୍ଚ୍ କରାଯାଇଥିଲା । ଏହି ଯୋଜନାରେ 10 କୋଟି ଲୋକଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା। ଜୁଲାଇ 2019 ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦାବି କରିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରାୟ 10.74 କୋଟି ଗରିବ ପରିବାର ଉପକୃତ ହୋଇଛନ୍ତି। ସୂଚନାଯୋଗ୍ୟ 2018 ରେ, ୟୁପିଏ ସରକାର ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ମଧ୍ୟ ଏହି ନୂତନ ଯୋଜନାରେ ମିଶ୍ରଣ କରାଯାଇଥିଲା ।

Related Posts