ଧାମନଗରରେ ଆଗାମୀ ୨ଦିନରେ ବିଜେଡି ବ୍ୟାପକ ଟଙ୍କା ବାଣ୍ଟିବ ଓ ମଦ, ମାଂସରେ ଗାଁ ବୁଡ଼ିବ: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଶେଷ ହେଉଛି ଧାମନଗର ଉପନିର୍ବାଚନର ପ୍ରଚାର । ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରାର୍ଥୀ ଓ ରାଜନୈତିକ ଦଳ ମାନେ ନିଜ ନିଜର ଅନ୍ତିମ ଚେଷ୍ଟା ଜାରି ରଖିଛନ୍ତି ।

ସେପଟେ ଆଗାମୀ ଦୁଇ ଦିନରେ ଧାମନଗରରେ ଶାସକ ବିଜେଡି ଭୋଟ କିଣିବାକୁ ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା ୩୦ ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି ।

ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଧାମନଗରରେ ପ୍ରଚାର ଶେଷ ହେଉଛି। ଭୋଟ ପାଇଁ ଆଉ ୨ଦିନ ବାକି ଥିବାବେଳେ ଏହି ଦୁଇ ଦିନରେ ମଦ, ମାଂସରେ ଗାଁ ବୁଡ଼ିବ। ଭୋଟ କିଣିବା ପାଇଁ ବିଜେଡି ଚାରିଆଡ଼େ ଟଙ୍କା ବାଣ୍ଟିବ । ବିଜେପି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାୟିତ୍ବ ନିର୍ବାହ କରିଛି। ହେଲେ ହେଲେ ଶାସକ ବିଜେଡି ଏହି ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଅଗଣତାନ୍ତ୍ରିକ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଧାମନଗରରେ ବୁଥ ରାଗିଂ ହେବାର ବହୁ ସମ୍ଭାବନା ରହିଛି। ଶାସକ ଦଳ ପକ୍ଷରୁ ବୁଥ ମଧ୍ୟରେ ଭୋଟରଙ୍କୁ ଜୋର ଜବରଦସ୍ତି ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ବିଜେପି ଅନୁରୋଧ କରିଛି। ଏହାସହିତ ଅବାଧ, ନିରପେକ୍ଷ ଓ ନିର୍ଭୟରେ ଯାଇ ଭୋଟ ଦେବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି । ଯେଉଁ ଦଳ ଲୋକଙ୍କ ପାଇଁ କାମ କରିବ ତାକୁ ହିଁ ଭୋଟ ଦେବା ଉଚିତ । ବିଜୁ ଜନତା ଦଳର ଛଳନାରୁ ଓଡ଼ିଶାବାସୀ ସତର୍କ ରୁହନ୍ତୁ ବୋଲି ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Related Posts