
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର: ଓଡିଶାରେ କରୋନା ସ୍ଥିତି ଦିନକୁ ଦିନ ଭୟାବହ ରୂପ ଧାରଣ କରୁଛି। ଏପଟେ ଟୁଇନସିଟିରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। କଟକ ଓ ଭୁବନେଶ୍ଵରରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ” ଭୁବନେଶ୍ଵରରେ ଏବେ ଜଣେ ବ୍ୟକ୍ତି ଏକରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି । ପ୍ରବାସୀ ମାନେ ବାହାରୁ ଭୁବନେଶ୍ଵରକୁ ଆସୁଥିବା ହେତୁ ଏହି ଭଳି ପରିସ୍ଥିତି ଉପୁଜୁଛି। ” ଟୁଇନସିଟିରେ ଆଗକୁ ସଂକ୍ରମଣ ଆହୁରି ବଢ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅପରପକ୍ଷେ ଭୁବନେଶ୍ୱରରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ନେଇ BMC କମିଶନର କହିଛନ୍ତି ,” ସଂକ୍ରମଣ ବଢ଼ିଚାଲିଛି, ହେଲେ ଲୋକେ ସଚେତନ ହେଉନାହାନ୍ତି । ଲୋକ ସହଯୋଗ ନକଲେ ଓ ନିୟମ ନମାନିଲେ ଆମେ କଡ଼ା ପଦକ୍ଷେପ ନେବୁ । ଏବଂ କଣ୍ଟେନମେଣ୍ଟ ଜୋନ କରିବାକୁ ଚେଷ୍ଟା ଆରମ୍ଭ କରିଦେଇଛୁ ।” କମିଶନରଙ୍କ ସୂଚନା ମୁତାବକ, ରାଜଧାନୀରେ ଏବେ ୩ ହଜାର ବେଡ୍ ରହିଛି। ୧୦ ଦିନରେ ଆଉ ୩ ହଜାର ମିଶିବ । ଏବଂ ୫୦ ପ୍ରତିଶତ ବେଡ୍ ଖାଲିଥିବା ବେଳେ ୮୫% ଲୋକ ହୋମ୍ କ୍ବାରେଣ୍ଟାଇନରେ ରହିଥିବା କମିଶନର ସୂଚନା ଦେଇଛନ୍ତି। ଏପଟେ ସଂକ୍ରମଣ ବୃଦ୍ଧି ନେଇ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟର ଅନ୍ୟ ସମସ୍ତ ଜାଗା ଅପେକ୍ଷା କଟକ ଓ ଭୁବନେଶ୍ୱରରେ କଟକଣା ଅଧିକ କରିବା ଦରକାର, ନଚେତ ସ୍ଥିତି ଅସମ୍ଭାଳ ହେବ । ସେ କହିଛନ୍ତି ,” ରାଜଧାନୀରେ ପରିବା ମାର୍କେଟ, ମାଛ ମାର୍କେଟ ଓ ମଦ ଦୋକାନ ସଂକ୍ରମଣ ବଢାଇବାର ପ୍ରମୁଖ କାରଣ । ତେଣୁ ଲୋକଙ୍କୁ ଆଉ ସଚେତନ କରିବାର ବେଳ ନାହିଁ । ପୂର୍ବ ଷ୍ଟ୍ରାଟେଜିକୁ ପରିବର୍ତ୍ତନ କରି ସ୍ପେଶାଲ ଷ୍ଟ୍ରାଟେଜି କରିବାକୁ ହେବ ।