ପୁଣି ତେଜିବ ଚିଟଫଣ୍ଡ ଆନ୍ଦୋଳନ : ୨୯ରୁ ଦେବଗଡରୁ ଗଣ ସତ୍ୟାଗ୍ରହ , ପ୍ରତ୍ୟେକ ବ୍ଲକରେ ଆନ୍ଦୋଳନ କରିବେ କ୍ଷତିଗ୍ରସ୍ତ ଜମାକାରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ତେଜିବ ଚିଟଫଣ୍ଡ ଆନ୍ଦୋଳନ। କ୍ଷତିଗ୍ରସ୍ତ ଜମାକାରୀ ମାନେ ପୁଣି ଥରେ କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି । ସେପ୍ଟେମ୍ବର ୨୯ ତାରିଖରୁ ଦେବଗଡରୁ ଗଣ ସତ୍ୟାଗ୍ରହ ଆରମ୍ଭ କରିବେ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ହିତାଧିକାରୀ ମାନେ ଆନ୍ଦୋଳନ କରିବେ । 

ସରକାର ଦୁଇ ଦୁଇ ଜଣ କମିଶନର ନିଯୁକ୍ତି କରିବା ସତ୍ୱେ ଜମାକାରୀ ତାଙ୍କ ଟଙ୍କା ଫେରି ପାଇନଥିବା ବେଳେ ସରକାର ମଧ୍ୟ ସେମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଚିଟଫଣ୍ଡ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଚିଟଫଣ୍ଡ କମ୍ପାନୀ ଗୁଡ଼ିକରୁ ଠକେଇର ଶିକାର ହେବା ପରେ ଏବେ ସରକାର ମଧ୍ୟ ସେମାନଙ୍କ ସହ ଛଳ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

୫୦ ଲକ୍ଷରୁ ଉର୍ଦ୍ଧ୍ୱ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଠାରୁ ସତ୍ୟପାଠ ଦାଖଲ କରିବା ନାଁ ରେ ୧୦ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟି ଓ ଆଡେସିଭ୍ ଆଦାୟ କରିଛନ୍ତି ସରକାର । କିନ୍ତୁ ଆନ୍ଦୋଳନର ଦୀର୍ଘ ଦିନ ବିତିବା ପରେ ମଧ୍ୟ ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି କରି ହିତାଧିକାରୀଙ୍କୁ ଟଙ୍କା ଫେରାଇବାରେ ସରକାର ବିଫଳ ହୋଇଛନ୍ତି । ଅପରପକ୍ଷରେ  କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ମଂଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। 

Related Posts