ସରକାରୀ ପ୍ରାଥମିକ ସ୍କୁଲରେ ଅଘଟଣ: ଭ୍ୟାକ୍ସିନ ନେଇ ୫୦ଜଣ ଛାତ୍ରାଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଲୀଗଡ ଜିଲ୍ଲା ସ୍ଥିତ ଏକ ସରକାରୀ ପ୍ରାଥମିକ ସ୍କୁଲରେ ଅଘଟଣ ଘଟିଛି । ଭ୍ୟାକ୍ସିନ ନେଇ ଅସୁସ୍ଥ ହେଲେ ସ୍କୁଲ ପିଲା । DPT ଭ୍ୟାକ୍ସିନ ନେବା ପରେ ପ୍ରାୟ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତେ ଝାଡାବାନ୍ତି ଓ ଜ୍ବରରେ ପୀଡିତ ହୋଇଛନ୍ତି ।

ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଭାବକଙ୍କ ବିନା ଅନୁମତିରେ ପିଲାମାନଙ୍କୁ ଜୋର ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ପିଲାମାନ ମଧ୍ୟ ସେମାନଙ୍କୁ ମାଡ ମରାଯାଇ ସ୍କୁଲ ଗେଟ୍ ବନ୍ଦ କରି ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିବା କହିଛନ୍ତି ।

ସୂଚନାଯୋଗ୍ୟ, ଅଲୀଗଡର ନଗଲା ପ୍ରାଥମିକ ବିଦ୍ୟାଳୟରେ ୧୫୦ ଛାତ୍ରଛାତ୍ରୀଙ୍କ ଡିପିଟି ଟୀକାକରଣ କରାଯାଇଥିଲା । ଏଥିପାଇଁ ଛୋଟ ଛୋଟ ପିଲାମାନେ ଅମଙ୍ଗ ହେବାରୁ ସ୍କୁଲ ଗେଟ୍ ବନ୍ଦ କରି ଜୋର ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିଲା । କିନ୍ତୁ ଟୀକାକରଣ ପରେ ପ୍ରାୟ ୫୦ ପିଲା ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପ୍ରବଳ ଜ୍ବର ହେବା ସହ ଝାଡାବାନ୍ତି ହୋଇଥିଲା । ଏହାପରେ ସମସ୍ତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଏହି ଘଟଣାରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜିଲ୍ଲା ସଭାପତି ସ୍କୁଲ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related Posts