ଲେବଲ କ୍ରସିଂ ପାର ବେଳେ ଅଘଟଣ, ଟ୍ରେନ ଧକ୍କାରେ ୩ ମୃତ ସୂଚନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ବ୍ରହ୍ମପୁରର ହଳଦିଆପଦର ଗାଁରେ ଲେବଲ କ୍ରସିଂରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲେବଲ କ୍ରସିଂ ସମୟରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ୫ ଜଣ । ଗତକାଲି ରାତି ୧୧ଟାରେ ୮ ଜଣ ନିଜର କିଛି ଜିନିଷ ଧରି ଟ୍ରେନ ଟ୍ରାକ୍‌ରେ ଯାଉଥିବା ବେଳେ ପଛପଟୁ ଆସୁଥିବା ବିଶାଖା ଟାଟା ନଗର ଟ୍ରେନ ଧକ୍କା ଦେଇଥିଲା । 

ମିଳିଥିବା ସୂଚନା ମୁତାବକ ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ତେବେ ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଶ୍ରମିକମାନେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। 

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ , ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ ମଧ୍ୟରେ ଏହି ଦୁର୍ଘଟଣାଟି ଘଟିଛି। ସେହି ସମୟ କିଛି ଶ୍ରମିକ ଶ୍ରେଣୀର ଲୋକେ ରେଳ ଲାଇନ୍ କଡ଼େ କଡ଼େ ଚାଲି ଚାଲି ଯାଉଥିଲେ।ଅପରପାର୍ଶ୍ୱରୁ ଟ୍ରେନ ଆସୁଥିବାବେଳେ  ସେମାନେ ରେଳ ଲାଇନ୍ ପାର କରିବାକୁ ଉଦ୍ୟମ କଲା ବେଳେ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜିଆର୍‌ପିକୁ ଖବର ଦେଇଥିଲେ। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ସହିତ ଯାଉଥିବା ଅନ୍ୟ ଲୋକଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ।

Related Posts