ବିନା ଲାଇସେନ୍ସରେ କ୍ଲିନିକ୍‌ ଚଳାଇବା ଘଟଣା; ଡା. ନବନୀତା ପାଢ଼ୀଙ୍କୁ ଅଢ଼େଇବର୍ଷ ଜେଲ୍ ସହ ୯ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିନା ଲାଇସେନ୍ସରେ କ୍ଲିନିକ୍‌ ଚଳାଇବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭୃଣ ନିରୂପଣ‌ର ରିପୋର୍ଟ ପ୍ରଦାନ କରିବା‌ରେ ଅନିୟମିତତା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବନ୍ଧ୍ୟାଦୋଷ ଦୂରୀକରଣ ବିଶେଷଜ୍ଞ ଡା. ନବନୀତା ପାଢ଼ୀ । ଗୁରୁବାର ଭୁବନେଶ୍ବର ଜେଏମ୍‌ଏଫ୍‌ସି ବିଚାରପତି ଭାନୁପ୍ରତାପ ମିଶ୍ର ମାମଲାର ରାୟ ଶୁଣାଣି କରି ତାଙ୍କୁ ଅଢ଼େଇବର୍ଷ ଜେଲ୍ ସହ ୯ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଜରିମାନା ଅନାଦେୟ ହେଲେ ଡା. ପାଢ଼ୀଙ୍କୁ ଅତିରିକ୍ତ ୯ ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି। ସରକାରଙ୍କ ପକ୍ଷରୁ ସହକାରୀ ପିପି ନିରଞ୍ଜନ ବେହେରା ଏହି ମାମଲା ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ୩୦ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଜିଲ୍ଲାରେ ଥିବା ଘରୋଇ ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରେ ଚଢ଼ଉ କରିଥିଲେ। ଖୋର୍ଦ୍ଧା ସିଡିଏମ୍ଓ ଓ ପିଏଚ୍‌ଓ ଡା. ବିଶ୍ବରଂଜନ ପତି, ସହକାରୀ ଜିଲ୍ଲାପାଳ ଅଂଶୁମାନ ରଥ, ଖୋର୍ଦ୍ଧା ଏଡିପିଏଚ୍ଏଓର ଡା. ସିଭି ସତ୍ୟନାରାୟଣ ରାଓ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ସହକାରୀ ମ୍ୟାନେଜର ସୂର୍ଯ୍ୟ ପ୍ରକାଶ ପଣ୍ଡା ଓ ସହିଦନଗର ଏଏସ୍‌ଆଇ ଦେବରାଜ କିସାନଙ୍କୁ ନେଇ ଗଠିତ ଏହି ୫ଜଣିଆ ଟିମ୍ ସେହି ଦିନ ଜୟଦେବ ବିହାରସ୍ଥିତ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ଫିମିଲାଇଫ୍‌ ଫର୍ଟିଲିଟି ଫାଉଣ୍ଡେସନ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଚଢ଼ଉ କରିଥିଲା। ଛାନ୍‌ଭିନ୍‌ରୁ ଜଣାପଡ଼ିଥିଲା ଯେ ଏହି ଅଲ୍‌ଟ୍ରାସାଉଣ୍ଡ୍ କ୍ଲିନିକ୍‌ର ଲାଇସେନ୍ସ ଅର୍ଥାତ୍ ‘ପିସି ଆଣ୍ଡ୍ ପିଏନ୍‌ଡିଟି ଆକ୍ଟ'(ପ୍ରି-କନସେପ୍‌ସନ୍ ଆଣ୍ଡ୍ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ ଟେକ୍‌ନିକ୍ସ) ନବୀକରଣ ହୋଇନାହିଁ। ଗତ ୨୦୧୮ ସେପ୍ଟେମ୍ବର ୧୫ ତାରିଖରୁ ଲାଇସେନ୍ସ ଅବଧି ଶେଷ ହୋଇଛି ଓ ବେଆଇନ ଭାବେ କ୍ଲିନିକ୍ ଚାଲୁଛି।କେବଳ ସେତିକି ନୁହେଁ, କ୍ଲିନିକ୍‌ରେ ପ୍ରତି ମାସ କରାଯାଉଥିବା ଭୃଣ ନିରୂପଣରେ ମଧ୍ୟ ଅନିୟମିତତା କରାଯାଉଥିବା ଯାଞ୍ଚ ବେଳେ ସ୍ପଷ୍ଟ ହୋଇଥିଲା। ନିରୀକ୍ଷଣ କରିବାକୁ ଆସିଥିବା ଦଳ କ୍ଲିନିକ୍‌ର ଓପିଡି ରିପୋର୍ଟ ଛାନ୍‌ଭିନ୍ କରିବାରୁ ଜଣାପଡ଼ିଥିଲା ଯେ ପ୍ରତିମାସ କ୍ଲିନିକ୍‌ରେ ମାଳମାଳ ଭୃଣ ନିରୂପଣ କରାଯିବା ପରେ ସେସବୁକୁ ନଷ୍ଟ କରାଯାଉଥିଲା। ମାତ୍ର ଖୋର୍ଦ୍ଧା ସିଡିଏମ୍ଓ ଓ ପିଏଚ୍‌ଓଙ୍କୁ ସଠିକ୍ ତଥ୍ୟ ଦେବା ପରିବର୍ତ୍ତେ ଭୁଲ୍ ରିପୋର୍ଟ ପ୍ରସ୍ତୁତ କରି ପଠାଯାଉଥିଲା। ଏହାସହ ଗଲା ୨ ବର୍ଷର ଅଲଟ୍ରାସାଉଣ୍ଡ୍‌ ତଥ୍ୟ ନ ମିଳିବା, କ୍ଲିନିକ୍‌ରେ କାମ କରୁଥିବା କର୍ମଚାରୀଙ୍କ ଡ୍ରେସ୍ ଓ ପଦବୀ ନ ଦେବା ଭଳି ଏକାଧିକ ଅନିୟମିତତା ପଦାକୁ ଆସିବା ପରେ ତଦନ୍ତକାରୀ ଦଳ କ୍ଲିନିକ୍‌ର ୨ଟି ଅଲଟ୍ରାସାଉଣ୍ଡ୍ ମେସିନ୍ ଜବତ କରିବା ସହ କ୍ଲିନିକର ମାଲିକ ତଥା ଡା. ନବନୀତା ପାଢ଼ୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ପ୍ରାୟ ୩ ବର୍ଷର ତଦନ୍ତ ଓ ୯ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ଗତ ୧୬ ଅଗଷ୍ଟରେ ବିଚାର ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଆଜି ମାମଲାର ରାୟ ପ୍ରକାଶ କରିବା ପରେ ଡା. ପାଢ଼ୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Related Posts