ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାଯାଇଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ୨୨ ତାରିଖ ଦିନ ସ୍କୁଲର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକଙ୍କୁ କହିଥିଲେ ଯେ, ପ୍ରଧାନଶିକ୍ଷକ ତାଙ୍କ ପାଖକୁ ଡାକି ନିଜ ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଁଇବା ସହ ଖରାପ ବ୍ୟବହାର କରୁଛନ୍ତି। ଏହି ବିଷୟରେ ଘରେ ଜାଣିବା ପରେ ପରିବାର ଲେକେ ଗତ ୨୪ ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଭ୍ୟଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଅଭିଯୋଗ କ୍ରମେ ଗୁରୁବାର ଦିନ ସ୍କୁଲରେ ଏହି ଅଭିଯୋଗକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଝିଅର ବାପା-ମା’ଙ୍କ ସହ ବିଭିନ୍ନ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଦାବି କରିଥିଲେ। ଦିନ ପ୍ରାୟ ୨ଟା ସମୟରୁ ଏହି ଶିକ୍ଷକଙ୍କୁ ସ୍କୁଲ କୋଠରୀରେ ଅଟକ ରଖି ଶିକ୍ଷା ବିଭାଗ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଡାକି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏବିଇଓ ଅଜିତ ମିଶ୍ର ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ କରିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି କହିଥିବା ବେଳେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ। ଗତକାଲି ବିଇଓ ଗୋବର୍ଦ୍ଧନ ଭୋଇ ପ୍ରଧାନ ଶିକ୍ଷକ ବିଶ୍ବନାଥ ବୁଦ୍ଧିଆଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ମାତ୍ର ୧୦ ମାସ ତଳେ ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ବହଲି ସ୍କୁଲର ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ପଦୋନ୍ନତି ପାଇ ଏହି ପଞ୍ଚାୟତର ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ।ହେଲେ ଶ୍ରୀ ବୁଦ୍ଧିଆ କିଛି ଦିନ ହେଲା ସ୍କୁଲର ବିଭିନ୍ନ କୋମଳମତୀ ଛାତ୍ରୀଙ୍କୁ ଉପରେ ଖରାପ ନଜର ପକାଇ ଥିବା ଅଭିଯୋଗ ହୋଇ ଆସୁଥିଲା।

Related Posts