
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାରଙ୍କ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ଆଜି ଦିଲ୍ଲୀ ପୁଲିସ ନୋଟିସ ଜାରି କରି ହଜାର ହେବାକୁ କହିଥିଲା । ଏହାପରେ ସେ ଦିଲ୍ଲୀ ପାହାଡଗଞ୍ଜ ଥାନାରେ ହାଜର ହୋଇଛନ୍ତି । ପୁଲିସ ତାଙ୍କୁ ପଚରାଉଚରା ଜାରି ରଖିଛି । ନିକଟରେ ଆପ୍ ନେତା ରାଜେନ୍ଦ୍ର ପାଲ ବିବାଦରେ ଫସିବା ପରେ ଦିଲ୍ଲୀ ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ପଦରୁ ଇସ୍ତଫା ସେ ଦେଇଥିଲେ ।ହିନ୍ଦୁ ଦେବାଦେବୀଙ୍କ ପୂଜା ବିରୋଧରେ ଶପଥ ନେବା ମାମଲାରେ ପୁଲିସ ତାଙ୍କୁ ଆଜି ପଚରାଉଚରା କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଗତ ବିଜୟାଦଶମୀ ଦିନ ଦିଲ୍ଲୀ କରୋଲ ବାଗ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପାଲ୍ ଗୌତମ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କୁ ରାମ-କୃଷ୍ଣଙ୍କୁ ଭଗବାନ ନମାନିବା ଓ ତାଙ୍କୁ କେବେ ପୂଜା ନକରିବା ପାଇଁ ଶପଥ ଗ୍ରହଣ କରାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା । ରାଜେନ୍ଦ୍ରଙ୍କୁ ହିନ୍ଦୁ ସମାଜକୁ କ୍ଷମା ମାଗିବା ପାଇଁ ବିଜେପି ଦାବି କରିଥିଲା ।
ତେବେ ଏହି ଘଟଣାରେ ବିବାଦ ବଢ଼ିବା ପରେ ରାଜେନ୍ଦ୍ର ପାଲ ଗୌତମ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାସହିତ ଘଟଣା ନେଇ ନିଜ ସଫେଇ ମଧ୍ୟ ରଖିଥିଲେ । ସେ କହିଥିଲେ ଯେ, ଭାରତର ସମ୍ବିଧାନ ଆମକୁ ସ୍ୱାଧୀନତା ଦେଇଛି । ଆମେ କେଉଁ ଧର୍ମକୁ ମାନିବା ଓ ନମାନିବା ତାହା ଆମ ଉପରେ ନିର୍ଭର । ମୋ ବିରୋଧରେ ମାମଲା ରୁଜୁ କରିବାକୁ ଯେଉଁମାନେ ଚାହୁଁଛନ୍ତି ସେମାନେ କରନ୍ତୁ । ମିଛ କେସ୍ କରିପାରନ୍ତି । ମୋତେ ଜେଲ୍ରେ ପୁରାଇ ପାରନ୍ତି । ଏଥିପାଇଁ ମୁଁ ପ୍ରସ୍ତୁତ ।
ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ପୁଲିସ ଆଜି ରାଜେନ୍ଦ୍ର ପାଲଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିଥିଲା ।