ଆରଏସଆଇସି ଷ୍ଟାଫନର୍ସଙ୍କୁ ମିଳୁନି ବର୍ଦ୍ଧିତ ଦରମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଏସଆଇସି ଷ୍ଟାଫନର୍ସଙ୍କୁ ମିଳୁନି ବର୍ଦ୍ଧିତ ଦରମା । ବାରମ୍ବାର କହିବା ସତ୍ତ୍ବେ ବି କୋର୍ଟଙ୍କ ନିର୍ଦ୍ଦେଶ କାର୍ୟ୍ୟକାରୀ ହେଉନି। ଦିନେ କି ମାସେ ନୁହେଁ, ବର୍ଷେ ହେଲାଣି ସରକାର ଚୁପ୍ ହୋଇ ରହିଯାଇଛନ୍ତି। ଯାହାଫଳରେ ଆଞ୍ଚଳିକ ମେରୁଦଣ୍ତ ଆଘାତ ଚିକିତ୍ସା କେନ୍ଦ୍ର (ଆର୍ଏସ୍ଆଇସି)ର ଷ୍ଟାଫନର୍ସମାନଙ୍କୁ ବର୍ଦ୍ଧିତ ଦରମା ମିଳିପାରୁନାହିଁ। ପ୍ରଥମ ଅଦାଲତ ଅବମାନା ମାମଲା ବେଳେ କୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲାବେଳେ ମାସେ ସମୟ ଦେଇଥିଲେ। ଯଦି ମାସେ ମଧ୍ୟରେ ନିର୍ଦ୍ଦେଶ ପାଳନ ନହୁଏ ତାହେଲେ ସରକାର ଜାଣିଶୁଣି ଅବମାନନା କରୁଥିବା ଧରିନିଆଯିବ ବୋଲି କୋର୍ଟ କହିଥିଲେ। ଏହାସତ୍ତ୍ବେ ସରକାରଙ୍କ ହେୟଜ୍ଞାନ ମନୋଭାବକୁ ଦେଖି ଆବେଦନକାରୀ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ମାମାଲାକୁ ଆଇନ୍ଜୀବୀ ଭବାନୀ ଶଙ୍କର ତ୍ରିପାଠୀ ପରିଚାଳନା କରୁଛନ୍ତି। ଆଞ୍ଚଳିକ ମେରୁଦଣ୍ତ ଆଘାତ ଚିକିତ୍ସା କେନ୍ଦ୍ର ୨୦୦୧ ମସିହାଠୁ ଆରମ୍ଭ ହେବା ଦିନଠୁ ସେଠାରେ ୮ଜଣ ଷ୍ଟାଫ ନର୍ସଙ୍କୁ ଚୁକ୍ତି ଭିତ୍ତିରେ ରଖାଯାଇଥିଲା। ୨୦୦୬ ମସିହାରେ ଏହା ରାଜ୍ୟ ସରକାରଙ୍କ ଅଧୀନକୁ ଆସିଥିଲେ ମଧ୍ୟ ପଦବି ସୃଷ୍ଟି କରାଗଲାନାହିଁ। ବର˚ ସୋସାଇଟି ଭାବେ ଚୁକ୍ତିଭିତ୍ତିକ ଦରମା ଦିଆଗଲା। ୨୦୧୨ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୧ଟି ପଦବି ସୃଷ୍ଟି ହେବା ପରେ କେନ୍ଦ୍ରର କିଛି କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହୋଇଥିଲା ବେଳେ ଷ୍ଟାଫନର୍ସଙ୍କୁ ପୁଣି ଥରେ ଚୁକ୍ତିଭିତ୍ତିରେ ରଖାଗଲା।

ତେବେ ୬ମାସ ବିତିଯିବା ପରେ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ନିୟମିତ କର୍ମଚାରୀ ଭାବେ ଦରମା ଦିଆଗଲା। ସେତେବେଳେ ୫୨୦୦ ଟଙ୍କା ପେ’ ସ୍କେଲ ସହିତ ଗ୍ରେଡ୍ ପେ ୨୮୦୦ ଟଙ୍କା ଦିଆଯାଉଥିଲା। ତେବେ ୩ବର୍ଷ ପରେ ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ସେମାନଙ୍କୁ ନିୟମିତ ପରିବର୍ତ୍ତେ ଚୁକ୍ତିଭିତ୍ତିକ ଭାବେ କାର୍ୟ୍ୟ କରିବାକୁ କହିଥିଲା। ଯାହାକୁ ବିରୋଧ କରି ଷ୍ଟାଫ୍ନର୍ସମାନେ ଟ୍ରିବ୍ୟୁନାଲ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗୁ ହେବାରୁ ଷ୍ଟାଫ୍ନର୍ସମାନଙ୍କୁ ସେହି ଗୋଟିଏ ସ୍କେଲ୍ରେ ଦରମା ଦିଆଯାଇଆସୁଛି। ହେଲେ ଷ୍ଟାଫ୍ନର୍ସଙ୍କ ଦରମା ପେ’ ସ୍କେଲ୍ ୯୩୦୦ ଓ ଗ୍ରେଡ୍ ପେ’ ୪୨୦୦ ଦିଆଯିବା ପାଇଁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ମାମଲା ପରେ ୨୦୨୧ ଫେବ୍ରୁଆରି ୨୪ ତାରିଖରେ ସ୍ବାସ୍ଥ୍ୟ ବିଭାଗ ଓ ଷ୍ଟାଫ ନର୍ସଙ୍କ ମଧ୍ୟରେ ମାମଲାର ସାମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ବିଭାଗ ଭିତରେ ଫାଇଲ ବୁଲୁଥିଲେ ବି ମାମଲାରେ ଅଗ୍ରଗତି ହୋଇନଥିଲା। ହାଇକୋର୍ଟରେ ୨୦୨୧ ସେପ୍ଟେମ୍ବର ୨୯ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ବେଳେ ଷ୍ଟାଫ୍ନର୍ସମାନଙ୍କୁ ସେମାନଙ୍କ ନିଯୁକ୍ତି ନିୟମିତ କରିବା ଓ ବର୍ଦ୍ଧିତ ସ୍କେଲ୍ରେ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସରକାର ଧାର୍ୟ୍ୟ ସମୟ ମଧ୍ୟରେ କୌଣସି ପଦକ୍ଷେପ ନେଇ ନଥିବାରୁ ଆବେଦନକାରୀ କୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।

ଗତବର୍ଷ ଜାନୁଆରି ୨୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ପାଳନ ପାଇଁ ମାସେ ସମୟ ଦେଇଥିଲେ। ଯଦି ସରକାର ଏହାକୁ ପାଳନ ନକରନ୍ତି, ତାହେଲେ ସରକାର ଜାଣିଶୁଣି ଅଦାଲତଙ୍କ ଅବମାନନା କରୁଥିବା ଧରାଯିବ ବୋଲି ସ୍ପଷ୍ଟ କରିଥିଲେ। ଏହାସତ୍ତ୍ବେ ସରକାର କୌଣସି ପଦକ୍ଷେପ ନ ନେବାରୁ ଆବେଦନକାରୀଙ୍କ ପକ୍ଷରୁ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର୍ କରାଯାଇଛି।

Related Posts