ବିଏମସିରେ ସ୍ୱାଧୀନ କର୍ପୋରେଟର ଏବେ ବିଜେଡି ମୁହାଁ; କର୍ପୋରେଟରଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସିରେ ସ୍ୱାଧୀନ କର୍ପୋରେଟର ଏବେ ବିଜେଡି ମୁହାଁ । ଜଣେ ପରେ ଜଣେ କର୍ପୋରେଟର ବିଜେଡିରେ ମିଶିବାରେ ଲାଗିଛନ୍ତି । ଏହା ମଧ୍ୟରେ ୯ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ସୁଷମା ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏହାକୁ ମିଶାଇ ଦୁଇ ଜଣ ସ୍ୱାଧୀନ କର୍ପୋରେଟର ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ଆଉ କିଛି ସାମିଲ ହେବେ ବୋଲି ଜଣାପଡ଼ିଛି । ଗୋଟିଏ ପଟେ ବିଏମସିରେ ବିଜେଡି ନିଜର ବଳ ବଢ଼ାଉଛି ଆଉ ଅନ୍ୟପଟେ ବିଜେପିର କର୍ପୋରେଟରଙ୍କ ସଂଖ୍ୟା ୧୦ରେ ସୀମିତ ରହିଛି । ଅନ୍ୟପଟେ ଶ୍ରୀମତି ସାହୁଙ୍କ ଯୋଗଦାନ ପରେ ବିଏମସିରେ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ପୂର୍ବରୁ ବିଜେଡିର ୪୮ ଜଣ କର୍ପୋରେଟର ବିଜୟୀ ହୋଇଥିବାବେଳେ କିଛି ଦିନ ତଳେ ୬୦ ନମ୍ବର ୱାର୍ଡର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ ବିଜେଡିରେ ସାମିଲ ହୋଇଥିଲେ ।

ସେପଟେ ଚଳିତଥର ବିଏମସି ନିର୍ବାଚନରେ ୯ ଜଣ ସ୍ୱାଧୀନ କର୍ପୋରେଟର ଜିତିଥିଲେ । ଦୁଇ ଜଣ ବିଜେଡିରେ ମିଶିବା ପରେ ଆଉ ୭ ଜଣ ସ୍ୱାଧୀନ କନେର୍ପାରେଟର ଅଛନ୍ତି । ପ୍ରାୟ ସମସ୍ତେ ବିଜେଡିରୁ ଟିକେଟ ପାଇଁ ଆଶା କରିଥିଲେ । ମାତ୍ର ଦଳ ଟିକେଟ ନଦେବାରୁ ସ୍ୱାଧୀନ ଭାବେ ଛିଡ଼ା ହୋଇ କର୍ପୋରେଟର ହୋଇଛନ୍ତି । ୨୦୧୪ରେ ସ୍ୱାଧୀନ ଭାବେ ଜିତିଥିବା ୧୨ ଜଣ କର୍ପୋରେଟର ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ । ତେଣୁ ଏଥର ମଧ୍ୟ ସମସ୍ତ ସ୍ୱାଧୀନ ପ୍ରାର୍ଥୀ ବିଜେଡିରେ ସାମିଲ ହେବା ନେଇ ସମ୍ଭାବନା ଉପୁଜୁଛି । ଅନ୍ୟପଟେ ଏପ୍ରିଲ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ହେବାକୁ ଯାଉଛି ।

Related Posts