
ଭୁବନେଶ୍ୱର,୧୫/୧୨ (ସତ୍ୟପାଠ ବ୍ୟୁରୋ): ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଟେଷ୍ଟ ଅଧିନାୟକ ଛାଡିଲେ କେନ୍ ଓ୍ୱିଲିୟସନ୍ । ନ୍ୟୁଜିଲାଣ୍ଡର ଏହି ବରିଷ୍ଠ ଖେଳାଳି ନିଜକୁ ଟେଷ୍ଟ ଅଧିନାୟକ ପଦରୁ ଅବ୍ୟାହତି ଦେଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ତଥା ଅନୁଭବି ବୋଲର ଟିମ୍ ସାଉଦୀଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ତେବେ ଟେଷ୍ଟ କ୍ରିକେଟ୍ରୁ ଅଧିନାୟକ ପଦ ଛାଡିବା ନେଇ କେନ୍ ଓ୍ୱିଲିୟମସନ୍ ବୋର୍ଡକୁ ଜଣାଇଛନ୍ତି । ସେ କହିଛନ୍ତି ଯେ, ଟେଷ୍ଟ କ୍ରିକେଟ୍ରେ ନ୍ୟୁଜିଲାଣ୍ଡ ଭଳି ଦଳରେ ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ । ମୋ ପାଇଁ ଟେଷ୍ଟ କ୍ରିକେଟ୍ ମହାନ । ଏହି ସମୟରେ ଆସିଥିବା ଅନେକ ସମସ୍ୟାକୁ ଖବ୍ ଆନନ୍ଦର ସମ୍ମୁଖୀନ କରିଛି । ଅଧିନାୟକ ଦାୟିତ୍ୱ ନେବା ପରେ ପଡିଆ ଏବଂ ବାହାରେ ଅଧିକ ଚାପ ରହିଥାଏ । ତେଣୁ କ୍ୟାରିୟରର ଏହି ସମୟରେ ମୋତ ଲାଗୁଛି କି, ଅଧିନାୟକ ପଦକୁ ଛାଡିବା ଉଚିତ୍ । ଏଇଟା ହିଁ ଉପଯୁକ୍ତ ସମୟ । ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ସହିତ ବିଚାର ବିମର୍ଶ କରିଛି । ଆଗାମୀ ଦୁଇ ବର୍ଷରେ ଦୁଇଟି ବିଶ୍ୱକପ୍ ରହିଛି । ତେଣୁ ମୋତେ ଏଭଳି ନିଷ୍ପତ୍ତି ନେବା ଦରକାର । କିନ୍ତୁ ସୀମିତ ଓଭର କ୍ରିକେଟ୍ରେ ଅଧିନାୟକ ପଦ ଜାରି ରଖିବି ।
ସେପଟେ କେନ୍ ଓ୍ୱିଲିୟମସନ୍ ଅଧିନାୟକ ପଦ ଛାଡିବା ପରେ ଟିମ୍ ସାଉଦୀଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେହିପରି ଟମ୍ ଲେଥାନ୍ଙ୍କୁ ଉପ-ଅଧିନାୟକ କରାଯାଇଛି । ସାଉଦୀ ଅଧିନାୟକ ପଦ ସମ୍ଭାଳିବା ପରେ ପ୍ରଥମ ସିରିଜ ପାକିସ୍ତାନ ବିପକ୍ଷରେ ରହିଛି । ଚଳିତ ମାସରୁ ଏହି ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଟିମ୍ ସାଉଦୀ ନ୍ୟୁଜିଲାଣ୍ଡର ୩୧ ତମ ଟେଷ୍ଟ ଅଧିନାୟକ ।
ସୂଚନାଯୋଗ୍ୟ ଯେ, ୨୦୧୬ରେ ବ୍ରେଣ୍ଡନ୍ ମ୍ୟାକୁଲମ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିବା ପରେ ଓ୍ୱିଲିୟମସନ୍ ଏହି ଦାୟିତ୍ୱ ସମ୍ଭାଳିଥିଲେ । ସେ ୩୮ ଟି ଟେଷ୍ଟ ମ୍ୟାଚ୍ ଅଧିନାୟକ କରିଥିବା ବେଳେ ୨୨ଟିରେ ବିଜୟୀ ହୋଇଛନ୍ତି । ବାକି ୧୦ଟି ମ୍ୟାଚ୍ରେ ପରାସ୍ତ ହୋଇଥିବା ବେଳେ ୮ଟି ମ୍ୟାଚ୍ ଡ୍ର ରହିଛି । କେନ୍ ଓ୍ୱିଲିୟମସନ୍ ଅଧିନାୟକ ଥିବା ସମୟରେ ନ୍ୟୁଜିଲାଣ୍ଡ ଟିମ୍ ଟେଷ୍ଟ ଚମ୍ପିଆନ୍ସିପ୍ ଟ୍ରଫି ଉପରେ କବ୍ଜା କରିଥିଲା ।