ମାଞ୍ଚେଷ୍ଟରରେ ମନ କିଣିଲା ଭାରତ

୮୯ ରନରେ ପାକିସ୍ତାନ ପରାସ୍ତ

ସତ୍ୟପାଠ ବ୍ୟୁରୋ : ରବିବାର ମାଞ୍ଚେଷ୍ଟରରେ ଖେଳା ଯାଇଥିବା ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଛି ଭାରତ । ଏହାସହ ପାକିସ୍ତାନ ବିପକ୍ଷରେ ଭାରତ ନିଜର ଅପରାଜେୟ ଧାରାକୁ ଅବ୍ୟାହତ ରଖିଛି । ଏହି ବିଜୟ ସହ ଭାରତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ସମସ୍ତ ୭ଟି ମ୍ୟାଚରେ ବିଜୟୀ ହୋଇଛି ।

ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା ପାକିସ୍ତାନ । ତେବେ ରୋହିତ ଶର୍ମାଙ୍କ ୧୪୦, ବିରାଟ କୋହଲିଙ୍କ ୭୭ ଓ କେ ଏଲ ରାହୁଲଙ୍କ ୫୭ ରନ ବଳରେ ୫ୱିକେଟ ହରାଇ ଭାରତ ୩୩୬ରନ ସଂଗ୍ରହ କରିଥିଲା । ବର୍ଷା ଯୋଗୁଁ ଓଭର ହ୍ରାସ କରାଯାଇ ପାକିସ୍ତାନକୁ ୪୦ ଓଭରରେ ୩୦୨ ରନର ଟାର୍ଗେଟ ମିଳିଥିଲା । କିନ୍ତୁ ଦଳ ୪୦ ଓଭରରେ ମାତ୍ର ୨୧୨ ରନ କରିବାରେ ସକ୍ଷମ ହୋଇ ପାରିଥିଲା ।

ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଦଳ ପକ୍ଷରୁ ଇମାଦ ୱାସିମ ଓ ସାଦାବ ଖାନ ୪୬ ରନ କରିବାରେ ସକ୍ଷମ ହୋଇଥିଲେ । କୁଲଦୀପ ଯାଦବ, ବିଜୟ ଶଙ୍କର ଓ ହାର୍ଦ୍ଦିକ ପାଣ୍ଡ୍ୟା ଚମକ୍ରାର ବୋଲିଂ କରି ୨ଟି ଲେଖାଏଁ ୱିକେଟ ନେଇଥିଲେ । ଯାହାଦ୍ୱାରା ଭାରତ ଡକ୍ ୱର୍ଥ ଲୁଇସ୍ ନିୟମ ଅନୁସାରେ ୮୯ ରନରେ ବିଜୟ ହାସଲ କରିଛି ।

Related Posts