ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଛନ୍ତି ରାହୁଲ ଗାନ୍ଧୀ । ଏହି ଯାତ୍ରାରେ ସେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ୩,୫୭୦ କିଲୋମିଟର ପଦଯାତ୍ରା କରିବେ। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ କେରଳରେ ଆୟୋଜିତ ଏକ ଡଙ୍ଗା ଦୌଡ଼ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ପନ୍ନାଡା ହ୍ରଦରେ ଆୟୋଜିତ ସ୍ନେକ ବୋଟ ରେସ ପ୍ରଦର୍ଶନୀର ଏକ ଭିଡ଼ିଓ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଶ୍ରୀନିବାସ ବିଭି ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡିଓରେ ରାହୁଲ ଗାନ୍ଧି ଅନ୍ୟ ପ୍ରତିଯୋଗୀଙ୍କ ସହିତ ମିଶି ଡଙ୍ଗା ଚଳାଉଥିବା ଦେଖାଯାଇଛି। ରାହୁଲ ଗାନ୍ଧୀ ସେପ୍ଟେମ୍ବର ୮ ରେ ତାମିଲନାଡୁର କନ୍ୟାକୁମାରୀର ଅନେକ ଦଳୀୟ କର୍ମୀଙ୍କ ସହ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ।

ଗତକାଲି ରାହୁଲ ଗାନ୍ଧୀ ଏହି ଯାତ୍ରାର ୧୧ ତମ ଦିନରେ କେରଳର ହରିପଦରୁ ଯାତ୍ରା ଆରମ୍ଭ କରିଥିଲେ । ଲୋକଙ୍କ ସହ ସମ୍ପର୍କ ବଢ଼ାଇବାକୁ ଓ ସେମାନଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ରାହୁଲ ବିଭିନ୍ନ ସାଧାରଣ ଲୋକଙ୍କ ସହ ମିଶୁଥିବାର ଦେଖିବାକୁ ମିଳୁଛି। ସେହି କ୍ରମରେ ରାହୁଲ ଏକ ଛୋଟ ଝିଅକୁ ଜୋତା ପିନ୍ଧିବାରେ ସାହାଯ୍ୟ କରୁଥିବାର ଏକ ଭିଡିଓ ଟ୍ୱିଟରରେ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନେଟା ଡିସୁଜା ସେୟାର କରିଥିଲେ । ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।