ଗହମ ପରେ ଚିନି ରପ୍ତାନୀ ବନ୍ଦ କରିପାରେ ଭାରତ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗହମ ପରେ ଚିନି ରପ୍ତାନୀ ବନ୍ଦ କରିପାରେ ଭାରତ ! ସାରା ବିଶ୍ୱକୁ ଚିନି ଯୋଗାଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ଭାରତ ଠାରୁ କିଛି ପରିମାଣର ଅଧିକ ଚିନି ବ୍ରାଜିଲ ରପ୍ତାନୀ କରିଥାଏ । ଏହାରି ମଧ୍ୟରେ ଚିନିର ବଢୁଥିବା ଦରକୁ ନଜରରେ ରଖି ବିଦେଶକୁ ରପ୍ତାନୀ କରିବାକୁ ଥିବା ଚିନି ଉପରେ ପ୍ରତିବନ୍ଧକ ଲଗାଇ ପାରେ । ଏନେଇ କେନ୍ଦ୍ର ସରକାର ଏବେ ଏକ ଯୋଜନା ପ୍ରସ୍ତୁତ କରୁଥିବା କଥା କୁହାଯାଉଛି । ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବକ ଦେଶରେ ବଢୁଥିବା ଚିନିର ଦାମ ଉପରେ ରୋକ ଲଗାଇବାକୁ ସରକାର ବାହାର ଦେଶକୁ ହେଉଥିବା ଚିନି ରପ୍ତାନୀ ବନ୍ଦ କରିପାରନ୍ତି । ସୂଚନା ଥାଉକି, ଗତ ସପ୍ତାହରେ ଘରୋଇ ଆବଶ୍ୟକତାକୁ ନଜରରେ ରଖି ଗହମ ରପ୍ତାନୀ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

ଏବେ ଅନୁମାନ କରାଯାଉଛି କି ସେହିଭଳି ଚିନି ରପ୍ତାନୀ ଉପରେ ବି କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇ ପାରନ୍ତି । ହେଲେ ସରକାରଙ୍କ ପାଖରେ ଅନ୍ୟ ଏକ ବିକଳ୍ପ ବି ରହିଛି । ସରକାର ଚାହିଁଲେ ଚଳିତ ବର୍ଷ ଚିନି ରପ୍ତାନୀ ୧୦ ମିଲିୟନ ଟନ୍ ମଧ୍ୟରେ ସୀମିତ ରଖିପାରିବେ । ସେପଟେ ଭାରତରୁ ସବୁଠାରୁ ଅଧିକ ଚିନି କିଣୁଥିବା ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ୟୁଏଇ, ମାଲେସିଆ ଓ ଆଫ୍ରିକା ଭଳି ଦେଶ ରହିଛନ୍ତି । ସେପଟେ ଉତ୍ପାଦନ କଥା କହିଲେ ଦେଶର ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଦେଶର ମୋଟ ଚିନି ଉତ୍ପାଦନର ୮୦ ପ୍ରତିଶତ ଉତ୍ପାଦନ କରିଥାନ୍ତି ।

Related Posts