ଏହି ଫଟୋରେ ରହିଛି ସୁରଜଙ୍କ ଭବିଷ୍ୟତ

ସତ୍ୟପାଠ ବ୍ୟୁରୋ, ୧୧/୧୦: ଧାମନଗର ଉପନିର୍ବାଚନରେ ଫଳାଫଳ କୁ ନେଇ ମିଡ଼ିଆ ଠୁ ପାର୍ଟି କର୍ମୀଙ୍କ ଯାଏଁ ଆକଳନ ଗାଡ଼ିକୁ ଘଡି ବଦଳୁଛି। ଯଦିଓ ଧାମନଗର ବିଜେପି ଦଖଲରେ ଥିଲା ମାତ୍ର ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏଠିକାର ହିସାବ ବଦଳି ଯାଇଛି। ବିଜେଡି ଏବେ ବିଜେପି ଠୁ ବହୁ ଆଗରେ ଅଛି। ମାତ୍ର ବିଷ୍ଣୁ ସେଠୀ ଙ୍କ ମୃତ୍ୟୁ ପରେ ଅନୁକମ୍ପା ଭୋଟ ବିଷ୍ଣୁ ଙ୍କ ପୁଅ ସୂରଜଙ୍କ ପାଇଁ ଶୁଭଙ୍କର ହେବ ବୋଲି ବିଜେପି ଆଶା ରଖିଛି। ମାତ୍ର ଦଳରେ ନେତାଙ୍କ ମଧ୍ୟରେ ଯେଭଳି ଛକା ପଞ୍ଜା ସମୀକରଣ ରହିଛି ସେଥିରେ ବିଜେପି ଶେଷ ବେଳକୁ ପୁରା ଦମରେ ଲଢ଼ିବା ନେଇ ଆଶଙ୍କା ରହିଛି। କାରଣ ଆରମ୍ଭରୁ ନାମାଙ୍କନ ଦାଖଲ ପୂର୍ବଦିନ ଦଳ ରାଜ୍ୟ ସଭାପତି ସମୀର ମହାନ୍ତି ଯେଭଳି ସ୍ଥାନୀୟ ବରିଷ୍ଠ ନେତା ମନମୋହନ ସାମଲଙ୍କୁ ସାଇଡ ମାରି ଏକା ଏକା ବୁଲିଲେ ସେଇଠୁ ବୁଝା ପଡୁଛି ଆଗକୁ କଣ ଖେଳ ହେବ।

ମାତ୍ର ଏଭଳି ଆଶଙ୍କା ଭିତରେ ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ଗୋଟିଏ ଫୋଟୋ ହିଁ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଓ ତାଙ୍କ ସମର୍ଥକଙ୍କ ପାଇଁ ବଡ ଆଶ୍ଵାସନା ଦେଇଛି। ସେଇଟା ହେଲା ମନମୋହନ ସାମଲ ସୁରଜଙ୍କୁ ଯେଭଳି କୁଣ୍ଢେଇ ଆଲିଙ୍ଗନ କରିଛନ୍ତି। କାରଣ ବିଷ୍ଣୁଙ୍କ ଅବର୍ତମାନରେ ଧାମନଗର ରେ ସୁରଜଙ୍କ ପାଇଁ ସବୁଠୁ ବଡ ଭରଷା ମନମୋହନଙ୍କ ଆଶିର୍ବାଦ। କାରଣ ଏବେ ବି ଧାମନଗର ର ସବୁ ପନ୍ଆଚାୟତରେ ମନମୋହନଙ୍କ ସମର୍ଥକ ରହିଛନ୍ତି।

କାହିଁକି ସୁରଜଙ୍କ ପାଇଁ ମନମୋହନଙ୍କ ଆଶିର୍ବାଦ ଗୁରୁତ୍ଵପର୍ଣ୍ଣ

୨୦୧୯ ରେ ବିଷ୍ଣୁ ସେଠୀ ଜିତିବା ପରେ ମନମୋହନ – ବିଷ୍ଣୁଙ୍କ ସମ୍ପର୍କର ତିକ୍ତତା ଖୁଲମଖୁଲା ହେଇଯାଇଥିଲା। ଏପରିକି ଦଳୀୟ ଓ ସାଧାରଣ ସଭା ସମିତିରେ କଥା କଟାକଟି ଚରମ ସ୍ଥରକୁ ଚାଲିଯାଇଥିଲା । ଏହାକୁ ନେଇ ଦଳ ଭିତରେ ଉଭୟଙ୍କ ସମର୍ଥାକଙ୍କ ଭିତରେ ଫାଟ ବଢ଼ି ଯାଇଥିଲା। ପରିଣାମ ସ୍ବରୂପ ପଞ୍ଚାୟତ ଓ ପୌର ନିର୍ବାଚନରେ ଧାମନଗର ରେ ବିଜେପି ର ପରଫରମାନ୍ସ ଖରାପ ହୋଇଥିଲା ।

ବିଷ୍ଣୁଙ୍କ ମୃତ୍ୟୁ ପରେ ପରିସ୍ଥିତି ବଦଳିଛି। ମାତ୍ର ମନମୋହନଙ୍କ ନିଷ୍ପତି ବଦଳିଛି ନା ନାହିଁ ସେଇଟା ବଡ କଥା। ଦଳୀୟ ବରିଷ୍ଠ ନେତାଙ୍କ ଅବହେଳା ପରେବି ସୁରଜଙ୍କ ପ୍ରତି ମନମୋହନଙ୍କ ଅକୁଣ୍ଠ ସହାୟତା ରହିବା ନା ନାହିଁ ତାହା ବଡ ପ୍ରଶ୍ନ।

କାରଣ ଦଳର ବଡ ନେତା ଓ ଷ୍ଟାର ପ୍ରଚାରାକ ଆସିବେ ରୋଡ ଶୋ କରିବେ ଓ ଭୁବନେଶ୍ବର ଫେରିଯିବେ ମାତ୍ର ପଞ୍ଚାୟତରେ ଏବଂ ବୁଥରେ ମନମୋହନ ଙ୍କ ଆଶିର୍ବାଦ ହିଁ ପ୍ରତିଦ୍ବନ୍ଦୀ ଙ୍କୁ ପରାଜିତ କରିବାରେ ସୁରଜ ଙ୍କ ପାଇଁ ବାସ୍ତବ ରେ ସହାୟତା ହେବ ।

ତେଣୁ ଆଜିର ଏହି ଫୋଟୋ ଯାହା ବୟାନ କରୁଛି ଯଦି ବାସ୍ତବରେ ମନମୋହନଙ୍କ ମନ ଭିତରେ ସେତିକି ଶ୍ରଦ୍ଧା ଅଛି ତେବେ ସୁରଜଙ୍କ ପାଇଁ ବଡ ଫାଇଦା।

Related Posts