

ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ସାମ୍ୱାଦିକମାନଙ୍କ ସହ କଥା ହେବା ସମୟରେ ମୋଦୀ କହିଥିଲେ, ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ହେବ । ସେଥିଲାଗି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ କମ୍ପ୍ରିହେନଶିଭ୍ ଗ୍ଲୋବାଲ ଷ୍ଟାଟେଜିକ ପାର୍ଟନରଶିପ ସ୍ତରକୁ ନେବା ଲାଗି ନିଷ୍ପତ୍ତି ନେଇଛୁ । ନିଶାଦ୍ରବ୍ୟ ଚାଲାଣ, ଆତଙ୍କବାଦ ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟାଗୁଡ଼ିକ ସମ୍ପର୍କରେ ଏକ ନୂଆ ମେକାନିଜିମ ଆଣିବା ଲାଗି ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ଆମେରିକା ଭାରତର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ସ ହୋଇଛି। ଏହି କ୍ଷେତ୍ରରେ ଆମର ନିବେଶ ମଧ୍ୟ ବଢ଼ିଛି। ଖୁବ୍ଶୀଘ୍ର ଏକ ବଡ଼ ବାଣିଜ୍ୟିକ ଚୁକ୍ତି ଉପରେ ଆମେ ଆଲୋଚନା କରିବୁ।
ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ମୋଦୀ ଟ୍ରମ୍ପ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଆସିଥିବାରୁ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଗତ ୮ମାସରେ ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ୫ମ ସାକ୍ଷାତ । ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ସର୍ବଦା ସ୍ମରଣୀୟ ରହିବ। ଏହା ସ୍ପଷ୍ଟ ହୋଇଛି ଯେ ଆମେରିକା ଏବଂ ଭାରତର ସମ୍ପର୍କ କେବଳ ଦୁଇ ସରକାର ମଧ୍ୟରେ ନାହିଁ, ଉଭୟ ଦେଶର ବାସିନ୍ଦାଙ୍କ ଉପରେ ଆଧାରିତ । ଆଜି ଆମ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟିକ ସମ୍ପର୍କ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୋଦୀ ।