ଅକ୍ଲାଣ୍ଡରେ ଭାରତୀୟ କ୍ରିକେଟ୍ ଟିମ୍ର କମାଲ୍ । 7ଟି ବଲ୍ ବାକି ଥାଇ 7 ୱିକେଟ୍ରେ ଦ୍ବିତୀୟ ଟି-ଟ୍ବେଣ୍ଟିକୁ ଜିତି ନେଇଛନ୍ତି ରୋହିତ୍ ବ୍ରିଗେଡ୍ । ଏଥିସହ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ 1-1ରେ ବରାବର ସ୍ଥିତିକୁ ଆସିଛି । 159 ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳ ପକ୍ଷରୁ କ୍ୟାପଟେନ୍ ରୋହିତ ଶର୍ମା ଓ ଋଷଭ୍ ପନ୍ଥ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।
ଅନ୍ୟତମ ଓପନର ଶିଖର ଧୱନ୍ ଓ ଧୋନି ମଧ୍ୟ ଖେଳିଛନ୍ତି ଉପଯୋଗୀ ଇନିଂସ୍ । ଆରମ୍ଭରୁ ବିସ୍ଫୋରକ ଇନିଂସ୍ ଖେଳିଥିଲେ ରୋହିତ୍ । ମାତ୍ର 28ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ସହ 50 ରନ୍ ସ୍କୋର(3 ଚୌକା, 4 ଛକ୍କା)ରେ ହିଁ ଆଉଟ୍ ହୋଇଥିଲେ ରୋହିତ୍ । ତା ପୂର୍ବରୁ ଶିଖରଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ମାତ୍ର 9.2 ଓଭରରୁ 79 ରନ୍ ଯୋଡ଼ି ଦଳର ବିଜୟ ପକ୍କା କରିଥିଲେ ରୋହିତ ।
ରୋହିତଙ୍କ ପରେ ଆସିଥିବା ଯୁବ ବ୍ୟାଟସମ୍ୟାନ୍ ଋଷଭ ପନ୍ଥ ମଧ୍ୟ ଖେଳିଥିଲେ ଦମ୍ ଦାର ସଟ୍ । ମାତ୍ର 28ଟି ବଲ୍ରୁ 40 ରନ୍ କରି ଋଷଭ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ବିଜୟ ଶଙ୍କର 8 ବଲ୍ରୁ 14 ରନ୍ କରି ଆଉଟ୍ ହୋଇଥିବାବେଳେ ମହେନ୍ଦ୍ର ସିଂ ଧୋନି 17 ବଲ୍ରୁ 20 ରନ୍ କରି ନଟ୍ଆଉଟ୍ ରହିଥିଲେ ।
ପୂର୍ବରୁ ଅକଲାଣ୍ଡରେ ବିଜୟ ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଘରୋଇ ନ୍ୟୁଜିଲାଣ୍ଡ । କିନ୍ତୁ ପୂର୍ବ ମ୍ୟାଚ୍ ଭଳି ଚମତ୍କାର କରିବାରେ ବିଫଳ ହୋଇଥିଲା ଘରୋଇ ଟିମ୍ । ୮ ୱିକେଟ୍ରେ ୧୫୮ ରନ୍ କରିବାରେ ସକ୍ଷମ ହୋଇଥିଲା ନ୍ୟୁଜିଲାଣ୍ଡ ।
ଡି ଗ୍ରାଣ୍ଡହୋମେ ସର୍ବାଧିକ ୫୦, ରସ୍ ଟେଲର ୪୨ ଏବଂ କେନ୍ ୱିଲିୟମ୍ସନ ୨୦ ରନ୍ କରିଛନ୍ତି । ଭାରତ ପକ୍ଷରୁ କୃନାଲ ପାଣ୍ଡ୍ୟା ସର୍ବାଧିକ ୩, ଚହଲ ଓ ଖଲିଲ ଅହମ୍ମଦ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।