16 ବର୍ଷର ଝିଅକୁ 4 ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା, ଓଡ଼ିଶାର ଗର୍ଭବତୀ ନାବାଳିକା ରାଜସ୍ଥାନରୁ ଉଦ୍ଧାର

ସନ୍ଦେହରେ ଓଡ଼ିଶା ପୋଲିସ୍‌ର ଭୂମିକା

ଓଡ଼ିଶାର ଜଣେ 16 ବର୍ଷର ଗର୍ଭବତୀ ଝିଅକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଛି । ଦିଲ୍ଲୀ ମହିଳା ଆୟୋଗ ଏହି ନାବାଳିକାକୁ ଉଦ୍ଧାର କରିଛି । ପ୍ରାୟ ୨ ବର୍ଷ ତଳେ ରାଉରକେଲାରୁ ନାବାଳିକାକୁ ଅପହରଣ କରି ନିଆଯାଇଥିଲା । ନାବାଳିକା ଉଦ୍ଧାର ହେବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅପହରଣ ପରେ ତାଙ୍କୁ ଜବରଦସ୍ତ ଜଣେ ୪୦ ବର୍ଷର ଲୋକ ସହ ବିବାହ କରାଯାଇଥିଲା । ଉଦ୍ଧାର ପରେ ନାବାଳିକା ନିଜ ସହ ଘଟିଥିବା ଲୋମହର୍ଷକ କାହାଣୀ ବର୍ଣ୍ଣନା କରିଛି ।

ନାବାଳିକାର ବାପା ଜଣେ ରେଳବାଇ କର୍ମଚାରୀ । ଦିନେ ସେ ଘରେ ନଥିବା ବେଳେ ନାବାଳିକାକୁ ଅପହରଣ କରି ନିଆଯାଇଥିଲା । ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ । ୧୦ ଦିନ ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ଝିଅର ବାହାଘର ଜଣେ ୪୦ ବର୍ଷର ଲୋକ ସହ କରିଦିଆଯାଇ ରାଜସ୍ଥାନ ପଠାଇ ଦିଆଯାଇଛି । ନାବାଳିକାକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ସୂଚନା ପାଇଥିଲେ ।

ଏହାର ପ୍ରାୟ ୨ ସପ୍ତାହ ତଳେ ତାଙ୍କ ଝିଅକୁ ରାଉରକେଲା ଆଣିଥିଲା ରାଜସ୍ଥାନ ପୋଲିସ । ତେବେ ନିଜ ନାବାଳିକା ଝିଅକୁ କନ୍ୟା ବେଶରେ ଦେଖି ସ୍ତବ୍ଧ ହୋଇଯାଇଥିଲେ ତାଙ୍କ ବାପା । ଆଉ ଝିଅଠାରୁ ଜାଣିବାକୁ ପାଇଲେ କିଭଳି ତାଙ୍କର ସମ୍ପର୍କୀୟ ତାକୁ ଅପହରଣ କରି ୪ ଲକ୍ଷରେ ବିକ୍ରି କରି ଦେଇଥିଲେ । ପରେ CWC ନାବାଳିକାକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲା । ତେବେ ପୋଲିସ ପୁଣି ଥରେ ନାବାଳିକାକୁ ରାଜସ୍ଥାନ ନେଇଯାଇଥିଲା ।

ନାବାଳିକାଙ୍କ ବାପା ଏ ନେଇ ରାଜସ୍ଥାନ ଏବଂ ଓଡ଼ିଶାର ଅନେକ ଅଧିକାରୀଙ୍କୁ ବିଷୟରେ ଜଣାଇଲେ । କିନ୍ତୁ କିଛି ବି ଲାଭ ହେଲାନି । କିଛି ଦିନ ପୂର୍ବରୁ ପରେ ସେ ଦିଲ୍ଲୀ ମହିଳା ଆୟୋଗଙ୍କ ନିକଟରେ ଝିଅଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ତୁରନ୍ତ ଏକ ଟିମ୍‌ ଗଠନ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।

ନାବାଳିକାଟି ଏବେ ପ୍ରାୟ ୯ ମାସର ଗର୍ଭବତୀ । ନାବାଳିକାକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଉଭୟ ଓଡ଼ିଶା ଓ ରାଜସ୍ଥାନ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ଯେଉଁ ପୋଲିସ ଅଧିକାରୀ ଏହି ମାମଲାରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Related Posts