ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା:୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ବଳଙ୍ଗାରୁ ଗିରଫ କଲା ପୋଲିସ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୩୮ ଦିନ ପରେ ଧରାପଡିଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ଅଭିଯୁକ୍ତ ଧରାପଡିଯିବା ଭୟରେ କାର୍‌ରେ ରହୁଥିଲା, କାର୍‌ରେ ଶୋଉଥିଲା ଓ ବୁଲୁଥିଲା। କିନ୍ତୁ ଶେଷରେ ପୋଲିସ ହାତରେ ଧରି ପଡ଼ି ଗିରଫ ହୋଇଛି। ଘଟଣା ହେଉଛି ଭୁବନେଶ୍ବର ଉପକଣ୍ଠ ପାଣ୍ଡରା ନିକଟରେ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ମାମଲା। ଏହି ହତ୍ୟାକାଣ୍ଡର ଦୀର୍ଘ ୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୁଲିସ।

‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରର ମାଲିକ ହେଉଛି କୀର୍ତ୍ତି କୁମାର ତ୍ରିପାଠୀ। ଘର ହେଉଛି ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ଅଞ୍ଚଳର। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ମାସ ୫ ତାରିଖରେ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ଜଗତସିଂହପୁର ଅଲଣାହାଟ ଜୋତ ଅଞ୍ଚଳର ତ୍ରିନାଥ ସେଠୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ତେବାସୀଙ୍କ ଶରୀରରେ କ୍ଷତ ଚିହ୍ନ ଚିହ୍ନଟ ହୋଇଥିଲା। ଏ ମାମଲାରେ ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ‌ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା କରା ଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା। ଏହାପରେ ଅଗଷ୍ଟ ୧୮ ତାରିଖରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏଥିରେ ନିଶା ନିବାରଣ କେନ୍ଦ୍ରର ମାଲିକ କୀର୍ତ୍ତି ସମେତ ତିନି ଜଣ ଅଭିଯୁକ୍ତ ରହିଥିଲେ। ଏହି ଘଟଣା ଘଟିବା ପରଠାରୁ କୀର୍ତ୍ତି ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। 

ପୁଲିସ ସୂଚନା ମୁତାବକ କୀର୍ତ୍ତି ଘଟଣା ଘଟିବା ପରେ ପ୍ରଥମେ ରାଉରକେଲା ଚାଲି ଯାଇଥିଲେ। ପୁଲିସର ଏକ ଟିମ୍ ତାଙ୍କ ପିଛା କରି ସେଠାରେ ପହଞ୍ଚିଥିଲା। ରାଉରକେଲାରୁ ପୁରୀ, ବଳଙ୍ଗା ଓ ପରେ ଶ୍ରୀରାମଚନ୍ଦ୍ରପୁରରେ ପହଞ୍ଚିଥିଲା କାର୍ତ୍ତି। ପୁଲିସ କୁ ଏଭଳି ବୁଲାଇବା ପରେ ଶ୍ରୀରାମଚନ୍ଦ୍ରପୁରରେ ଥିବା ଏକ ନାଳବନ୍ଧରେ କାର୍‌ ରଖି ବସିଥିବା ବେଳେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲା କାର୍ତ୍ତି । ଯେହେତୁ କୀର୍ତ୍ତି ଅଧିକାଂଶ ସମୟ ନିଜ କାର୍‌ରେ ବିତାଉଥିଲା ତେଣୁ ପୁଲିସକୁ ଧରିବା ପାଇଁ ଅସୁବିଧା ହୋଇଥିଲା। ସେ କାର୍‌ରେ ରହୁଥିଲା, ସେଥିରେ ଶୋଉଥିଲା ଓ ବୁଲୁଥିଲା। କୀର୍ତ୍ତିକୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ଖୋଜିବା ଜାରି ରଖିଛି। କୀର୍ତ୍ତି ପାଖରୁ ନିଶା ନିବାରଣ କେନ୍ଦ୍ରର କାଗଜପତ୍ର, ରେଜିଷ୍ଟର, ମୋବାଇଲ ଫୋନ୍ ଜବତ କରାଯାଇଛି। 

Related Posts