ପରିବହନ ମନ୍ତ୍ରୀଙ୍କ ନାଁରେ ଏତଲା !

ଅଡ଼ୁଆରେ ରାଜ୍ୟ ପରିବହନ ମନ୍ତ୍ରୀ । ପଦ୍ମନାଭ ବେହେରାଙ୍କ ବିରୋଧରେ ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବୀରମହାରାଜପୁର ବିଜେଡି ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ପୁଣି ଥରେ ନୂଆ ଅଡ଼ୁଆରେ ଫଶିଛନ୍ତି । ସ୍ୱାଧିନତା ଦିବସ ଅବସରରେ ନିଜର ପିଏସଓଙ୍କ ଦ୍ୱାରା ଚପଲ ଉଠାଇବା ଘଟଣାରେ ବିବାଦ ଥମି ନଥିବା ବେଳେ ଏବେ ତାଙ୍କ ବିରୋଧରେ ପୋଲିସ ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ନିର୍ବାଚନୀ ସତ୍ୟପାଠରେ ବାରମ୍ୱାର ଶିକ୍ଷାଗତ ତଥ୍ୟ ବଦଳାଉଥିବା ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଥର ସତ୍ୟପାଠରେ ନିଜର ଶିକ୍ଷାଗତ ତଥ୍ୟ ବଦଳାଉଛନ୍ତି ! ଏପରି ସାଂଘାତିକ ଅଭିଯୋଗ ଉପରେ ଏବେ ହେବ ତଦନ୍ତ । ବୀରମହାରାଜପୁର ଅଞ୍ଚଳର ଜଣେ ସ୍ଥାନୀୟ ବାସୀନ୍ଦା ଭଗବାନ ବାଘ ଏନେଇ ଥାନାରେ ଏତଲା ଦେଇଥିଲେ । କିନ୍ତୁ ମନ୍ତ୍ରୀଙ୍କ ଚାପ ହେଉ କିମ୍ୱା ଅନ୍ୟ କୌଣସି କାରଣରୁ ପୋଲିସ ଏହା ପ୍ରତି କର୍ଣ୍ଣପାତ କରି ନଥିଲା । ପୋଲିସ ନଶୁଣିବା ପରେ ଭଗବାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ଭଗବାନଙ୍କ ପୂର୍ବ ଏତଲାକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts