ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀ’ର ତଣ୍ଟି କାଟିଦେଲା ନୃଶଂସ ସ୍ବାମୀ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର :  ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀର ତଣ୍ଟି କାଟିଦେଲା ନୃଶଂସ ସ୍ବାମୀ । ତେବେ ସ୍ବାମୀ ମଧ୍ୟ ଜଣେ ଶିକ୍ଷକ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ । ତଣ୍ଟିରେ ଛୁରି ଲଗାଇଥିବାରୁ ଏହି ସ୍କୁଲ୍ ର ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବ (୩୦) ଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତ ସଞ୍ଜୁରାଣୀଙ୍କ ସ୍ବାମୀ ପ୍ରଦୀପ ପଣ୍ଡାକୁ ପୁଲିସ ଥାନାକୁ ନେଇଥିବା ଜଣାପଡ଼ିଛି ।

ତେବେ ସଞ୍ଜୁରାଣୀଙ୍କ ଅଭିଯୋଗ ମୁତାବକ, ତାଙ୍କ ବାହାଘରକୁ ଏବେ ବର୍ଷେ ପୂରିଛି। ଆଗଲପୁର ବନ୍ଧବାହାଲର ପ୍ରଦୀପ ପଣ୍ଡାଙ୍କୁ ସଞ୍ଜୁରାଣୀ ଦେବ ବିବାହ କରିଥିଲେ। ପ୍ରଦୀପ ମଧ୍ୟ ଟିଟିଲାଗଡ଼ର ଗୋଟିଏ ସ୍କୁଲରେ ଶିକ୍ଷକ ଭାବେ ଚାକିରି କରିଛନ୍ତି । ତେବେ ସଞ୍ଜୁରାଣୀ ଦେବଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା କାରଣରୁ ସେ ଛାଡପତ୍ର ନେବା ପାଇଁ ଡିଭୋସ ଫାଇଲ କରିଥିଲେ । ତେବେ ଆଜି ଅଚାନକ ସ୍କୁଲରେ ପହଞ୍ଚି ସମସ୍ତଙ୍କୁ ଛୁରି ଦେଖାଇଥିଲେ ପ୍ରଦୀପ । ସଞ୍ଜୁରାଣୀଙ୍କ ଚୁଟିକୁ ଧରି ବେକକୁ ଛୁରୀରେ କାଟିଦେଇଥିଲେ ପ୍ରଦୀପ । ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିଲେ। ଶିକ୍ଷକ ଓ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଉପସ୍ଥିତ ଥିବା ଗ୍ରାମବାସୀ ତାଙ୍କୁ ଧରି ପୁଲିସରେ ଜିମା ଦେଇଥିଲେ । ପ୍ରଦୀପଙ୍କ ଠାରୁ ଏକ ଲୁହା ଚେନ ସାଙ୍ଗକୁ ପେଟ୍ରୋଲ ମଧ୍ୟ ଜବତ କରାଯାଇଛି। 

Related Posts