ବର୍ଷା ୬୩ ବର୍ଷର ରେକର୍ଡ ଭାଙ୍ଗିଥିବାରୁ ଡ୍ରେନେଜ ସମସ୍ୟା ଉପୁଜିଛି ,ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ : ବିଏମସି କମିସନର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ବରରେ ୬୩ବର୍ଷର ରେକର୍ଡ ଭାଙ୍ଗିଥିଲା। ଏହି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ଲୋକଙ୍କ ଘର ଭିତରକୁ ପାଣି ପଶିଯାଇଥିବାର ଦେଖିବାକୁ ମିଳିଥିଲା। ରାଜରାସ୍ତା ଏତେ ପରିମାଣର ପାଣି ଯାଉଥିଲା ଯେ କାର, ଟ୍ରାକ୍ଟର ବୁଡ଼ି ଯାଉଥିଲା। ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଗଲା। ବର୍ଷାଜଳ ପାଇଁ ଖୋଲାଥିବା ମୁକୁଳା ଡ୍ରେନରେ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ଆଖି ବୁଜି ଦେଲେ। ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ସ୍ମାର୍ଟ ସିଟିର ଚିତ୍ରକୁ ପଦାରେ ପକାଇଦେଲା। ସମସ୍ତେ ବିଏମସି ଏବଂ ସରକାରଙ୍କୁ ସମାଲୋଚନା କଲେ। ଏହା ପରେ ଏବେ ବିଏମସିର ଆଖି ଖୋଲିଛି। ବିଏମସି କମିସନର ସଞ୍ଜୟ ସିଂ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରରେ ବର୍ଷା ୬୩ବର୍ଷର ରେକର୍ଡ ଭାଙ୍ଗିଥିବାରୁ ଡ୍ରେନେଜ ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଏମସି କମିସନର ଯୁକ୍ତି ବାଢିଛନ୍ତି। 

କମିସନର ସଞ୍ଜୟ ସିଂ କହିଛନ୍ତି ଯେ, ଯେତେ ଯାଗାରେ ଜଳ ନିଷ୍କାସନ ସମସ୍ୟା ହୋଇଥିଲା ସେ ସବୁକୁ ଚିହ୍ନଟ କରାଯାଇଛି । ଏହି ଭଳି ଭାବେ ୭୫ଟି ସ୍ଥାନ ଚିହ୍ନଟ ହୋଇଥିବା ସେ କହିଛନ୍ତି। ଏହା ସହ କାହିଁକି ଜଳ ଜମି ରହିଛି ତାହାର କାରଣ କଣ ସେ ନେଇ କାମ ହେଉଥିବା କମିଶନର କହିଛନ୍ତି । ଡ୍ରେନେଜ୍ ସମସ୍ୟାର ‘ସର୍ଟ ଟର୍ମ’ ଓ ‘ଲଙ୍ଗ ଟର୍ମ’ ସମାଧାନ କରାଯିବ ତାର ବାଟ ମଧ୍ୟ ବାହାର କରାଯାଇଛି। ଗତକାଲିଠାରୁ ଏଭଳି ପଏଣ୍ଟଗୁଡିକର ସମୀକ୍ଷା କରାଯାଉଛି। ଯେଉଁଠି ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଦରକାର ପଡ଼ିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବିଏମସି କମିଶନର ଆହୁରି ମଧ୍ୟ କହିଛନ୍ତି ଯେ, ନିଜ ନିଜ ଅଞ୍ଚଳର ଆକଳନ  ତିଆରି କରିବା ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ନାଳର କଭର ନକରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡଲାଇନ ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗାଇଡଲାଇନ ପାଳନ କରି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ଗତ ବର୍ଷାରେ ୩୫ଟି ଜାଗାରେ ପମ୍ପ ଲଗା ଯାଇଥିବା ବେଳେ ଆଗକୁ ବଡ଼ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ ବୋଲି ବିଏମସି କମିସନର କହିଛନ୍ତି। 

ସୂଚନାଯୋଗ୍ୟ ଯେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁକୁ ନେଇ ତମ୍ବିତୋଫାନ ହୋଇଥିଲା। ରାଜ୍ୟ ସରକାର ଏବଂ ବିଏମସିକୁ ବିରୋଧୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ବିରୋଧ କରିଥିଲେ।

Related Posts