କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ କେବଳ ରାଜନୀତି ଏବଂ ପ୍ରଚାର ଉପରେ ଧ୍ୟାନ ଦେଇଛନ୍ତି : ପ୍ରିୟଙ୍କା ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ସେ ଅଭିଯୋଗ କରିଛନ୍ତି ଯେ ମହାମାରୀ ଭଳି ଭୟଙ୍କର ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପରିବର୍ତ୍ତେ ରାଜନୀତିକୁ ପ୍ରାଥମିକତା ଦେଇଛନ୍ତି ଏବଂ ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି । କଂଗ୍ରେସ ନେତ୍ରୀ କହିଛନ୍ତି ଯେ, ପୁରା ଦୁନିଆ ଦେଖିଲା ପ୍ରଧାନମନ୍ତ୍ରୀ ମୋଦୀ ଶାସନ କରିବା ପାଇଁ ସକ୍ଷମ ନୁହଁନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ , ସ୍ପାନିସ୍ ଫ୍ଲୁ ମହାମାରୀ ସମୟରେ ଦେଶବାସୀ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସେ ପିଏମ୍ ମୋଦୀଙ୍କୁ ଦାୟୀ କରିଛନ୍ତି। ମୋଦୀ ସରକାର ଲୋକଙ୍କୁ ଭଗବାନଙ୍କ ଭରଷାରେ ଛାଡି ଦେଇଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ” କିଛି ଦିନ ଧରି ଗଙ୍ଗା ନଦୀରେ ମୃତଦେହ ଭାସୁଥିବାର ଦୃଶ୍ୟ ସମଗ୍ର ବିଶ୍ୱକୁ ବିଚଳିତ କରିଥିଲା, ଏଭଳି ପରିସ୍ଥିତି କାହିଁକି ଉପୁଜିଲା ବୋଲି ସେ ପ୍ରଶ୍ନ କରିଛନ୍ତି ? ପ୍ରିୟଙ୍କା କହିଛନ୍ତି ଯେ , ‘ଜଣେ ଶକ୍ତିଶାଳୀ ନେତା ସଙ୍କଟ ସମୟରେ ସତ୍ୟର ସମ୍ମୁଖୀନ ହୁଅନ୍ତି ଏବଂ ମହାମାରୀ ପରିଚାଳନାର ଦାୟିତ୍ବ ନିଜ ହାତକୁ ନିଅନ୍ତି । ଦୁର୍ଭାଗ୍ୟବଶତଃ ପ୍ରଧାନମନ୍ତ୍ରୀ କିଛି ବି କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ମହାସଚିବ କହିଛନ୍ତି ଯେ , “ମହାମାରୀ ଆରମ୍ଭରୁ ସତ୍ୟକୁ ଲୁଚାଇବା ଏବଂ ଦାୟିତ୍ବରୁ ଦୂରେଇ ରହିବା ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ଗୁରୁତ୍ୱ ଥିଲା। ଫଳସ୍ୱରୂପ, ଯେତେବେଳେ କରୋନାର ଦ୍ୱିତୀୟ ତରଙ୍ଗ ଯେତେବେଳ ସମ୍ପୂର୍ଣ୍ଣ ଦେଶରେ ବିକଟ ସ୍ଥିତି ଦେଖାଦେଲା , ସେତେବେଳେ ମୋଦୀ ସରକାର ନିଷ୍କ୍ରିୟ ହୋଇଗଲେ। ସରକାରଙ୍କ ଏହି ନିଷ୍କ୍ରିୟତା ଦେଶ ପାଇଁ ବିପଦ ସୃଷ୍ଟି କଲା, ଭାଇରସ ବ୍ୟାପିବାରେ ଲାଗିଲା ଏବଂ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେ । କଂଗ୍ରେସର ସାଧାରଣ ସଚିବ କହିଛନ୍ତି, ‘ଯଦି ପ୍ରଧାନମନ୍ତ୍ରୀ ଦେଶ ତଥା ବିଶ୍ୱ ର ବିଶେଷଜ୍ଞଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶକୁ ଅଣଦେଖା ନକରଥାନ୍ତେ ଏବଂ ସ୍ୱାସ୍ଥ୍ୟ ବ୍ୟାପାର ସଂସଦୀୟ କମିଟିର ପରାମର୍ଶକୁ ଗ୍ରହଣ କରିଥାନ୍ତେ ତେବେ ଭାରତ ଏଭଳି ଗୁରୁତର ସଙ୍କଟର ସମ୍ମୁଖୀନ ହୋଇନଥାନ୍ତା । ଡାକ୍ତରଖାନାରେ ବେଡ୍, ଅମ୍ଳଜାନ ଏବଂ ଔଷଧର ଅଭାବ ଦେଖାଦେଇନଥାନ୍ତା । ‘ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ଦାୟିତ୍ବବାନ ନେତା ହୋଇଥାନ୍ତେ ଏବଂ ତେବେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗ ମଧ୍ୟରେ ଡାକ୍ତରଖାନାରେ ବେଡ୍ ସଂଖ୍ୟା ହ୍ରାସ କରିନଥାନ୍ତେ। ପ୍ରିୟଙ୍କା ପିଏମ୍ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି , ‘ଯଦି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ଏବଂ ଭାବମୂର୍ତ୍ତି ଅପେକ୍ଷା ଦେଶବାସୀଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତେ, ତେବେ ଆଜି ଦେଶରେ ଟିକା ଅଭାବ ହୋଇ ନଥାନ୍ତା। ଯଦି ପ୍ରଧାନମନ୍ତ୍ରୀ ତାଙ୍କ କୁମ୍ଭକର୍ଣ୍ଣ ନିଦରୁ ଉଠି ୨୦୨୦ ମସିହାରେ ଟିକା ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତେ , ତେବେ ଜାନୁୟାରୀ ୨୦୨୧ ସୁଦ୍ଧା ଅନେକ ଜୀବନ ରକ୍ଷା କରାଯାଇପାରିଥାନ୍ତା। ପ୍ରିୟଙ୍କା ଦାବି କରିଛନ୍ତି, ‘ଯଦି ପ୍ରଧାନମନ୍ତ୍ରୀ ରାଜନୀତି ଅପେକ୍ଷା ଦେଶବାସୀଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇଥାନ୍ତେ, ତେବେ ସେ କରୋନା ମୁକାବିଲାରେ ରାଜ୍ୟମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତେ। ଟିଭିରେ ଆସି ନିଜର ବିଫଳତା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ପରିବର୍ତ୍ତେ ଯଦି ସେମାନେ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇଥାନ୍ତେ ତେବେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି, ‘ଯଦି ପ୍ରଧାନମନ୍ତ୍ରୀ ଜଣେ ଦକ୍ଷ ପ୍ରଶାସକ ହୋଇଥାନ୍ତେ, ତେବେ କରୋନାର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଆଗୁଆ ରଣନୀତି ପ୍ରସ୍ତୁତ କରିଥାନ୍ତେ। ଯଦି ସେ ଜଣେ ଦକ୍ଷ ପ୍ରଶାସକ ହୋଇଥାନ୍ତେ, ତେବେ ବିଜ୍ଞାନକୁ ଆପଣେଇବା ପରିବର୍ତ୍ତେ କରୋନା ମୁକାବିଲା ପାଇଁ ଥାଳି ବାଡେଇବା ଏବଂ ଦୀପ ଜାଳିବା ପାଇଁ କହିନଥାନ୍ତେ ।

Related Posts