ନଳକୂଅରୁ ପାଣି ବଦଳରେ ବାହାରୁଛି ମଦ

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଶ୍ଚାଜ୍ୟ ଦୃଶ୍ୟ । ନଳକୂଅ ଚଳାଇବା ପରେ ସେଥିରୁ ପାଣି ବଦଳରେ ମଦ ବାହାରୁଛି । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶରେ ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେବା ପରେ ଏବେ ଅବକାରୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି | ତେବେ ସୋମବାର ଦିନ ଗୁନା ଜିଲ୍ଲାରେ ଚଢ଼ାଉ ସମୟରେ ଏମିତି ଏକ ନଳକୂଅ ମିଳିଥିଲା ଯେଉଁଥିରୁ ମଦ ବାହାରିଥିଲା | ଏହାକୁ ଦେଖି ଚଢ଼ାଉ କରିବାକୁ ଯାଇଥିବା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସୂଚନା ମୁତାବକ ଗୁନା ପୁଲିସ ଓ ଅବକାରୀ କର୍ମଚାରୀମାନେ ଦୁଇଟି ଗାଁରେ ଚଢ଼ାଉ କରିଥିଲା।

ପୁଲିସ ଘଟଣାସ୍ଥଳରେ ଏକ ନଳକୂଅ ଦେଖିବାକୁ ମିଳିଥିଲା | ଯେତେବେଳେ ଅବକାରୀ କର୍ମଚାରୀମାନେ କୌତୁହଳବଶତଃ ନଳକୂଅର ହ୍ୟାଣ୍ଡେଲକୁ ମାରିଥିଲେ ସେତେବେଳେ ପାଣି ବଦଳରେ ମଦ ବାହାରିଥିଲା | ପୁଲିସର କହିବା ଅନୁସାରେ ଯେତେବେଳେ ନିକାଞ୍ଚନ ଜଙ୍ଗଲ ମଝିରେ ନଳକୂଅ ଦେଖିବାକୁ ମିଳିଥିଲା ସେତେବେଳେ ଅବକାରୀ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାପରେ ଯେତେବେଳେ ହ୍ୟାଣ୍ଡେଲ ଟେକି ତାହାକୁ ତଳକୁ କରାଯାଇଥିଲା ଏଥିରୁ ମଦ ବାହାରିଥିଲା | ଏହାପରେ ନଳକୂଅକୁ ଖୋଳାଯାଇଥିଲା | ଏହା ତଳେ ମଦ ଭର୍ତ୍ତି ଟାଙ୍କି ମିଳିଥିଲା।

ଏହି ଟାଙ୍କିଗୁଡ଼ିକ ଭୂମିରେ ପ୍ରାୟ ଆଠ ଫୁଟ ଗଭୀରରେ ଥିଲା | ଉପରକୁ ଏହା ନଳକୂଅ ଭାବେ ଦେଖାଯାଉଥିବାବେଳେ ମାଟିତଳେ ପ୍ରଚୁର ପରିମାଣର ମଦ ମହଜୁଦ ହୋଇ ଥିଲା | ଏହି ଘଟଣାରେ ପୁଲିସ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ୨ଟି ପୁଲିସ ଷ୍ଟେସନରେ ୮ଟି ମାମଲା ରୁଜୁ ହୋଇଥିବାବେଳେ ପୁଲିସ କହିଛି ଯେ ମାଟି ତଳେ ମଦ ଗଛିତ ରଖି ଉପରେ ହ୍ୟାଣ୍ଡପମ୍ପ ଲଗାଯାଇଥିଲା | ହ୍ୟାଣ୍ଡପମ୍ପ ସାହାଯ୍ୟରେ ଅଭିଯୁକ୍ତମାନେ ଭୂମିରେ ପୋତି ହୋଇଥିବା ଡ୍ରମରୁ ମଦ ବାହାର କରୁଥିଲେ। ତା’ପରେ ଏହାକୁ ଛୋଟ ଥଳିରେ ଭର୍ତ୍ତି କରି ବିକ୍ରି କରୁଥିଲେ

Related Posts