ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଶୁଣାଣି ହୋଇପାରେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ଓ ଅନିୟମିତତା ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଦିନ ଏଏସ୍ଓ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆଜି ଦୀର୍ଘ ସମୟ ଧରି ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ ।

ଅନ୍ୟପଟେ ପରୀକ୍ଷା ଫଳରେ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସସି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରେସନୋଟ ଜରିଆରେ ପରୀକ୍ଷାର୍ଥୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଓପିଏସସି ଏନେଇ ସଫେଇ ଦେଇ କହିଛି ଯେ, ‘ଓପିଏସସିର ନିୟମାନୁସାରେ ଚୂଡ଼ାନ୍ତ ପରୀକ୍ଷାଫଳ ଆସିବା ପରେ କଟଅଫ୍ ମାର୍କ ପ୍ରକାଶ ହେବ । ଉତ୍ତର, କଟଅଫ୍ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡାନ୍ତ ରେଜଲ୍ଟ ପରେ ଆସିବ । କିଛି ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଅନୁପସ୍ଥିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା।’

Related Posts