ତୁମ Boss ଶୁଣୁଛନ୍ତି ନା ନାହିଁ? ଟିକା କୁ ନେଇ ବୟାନ ରଖିବା ପରେ ଗଡକରୀଙ୍କୁ କଂଗ୍ରେସର ପ୍ରଶ୍ନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟିକା ନୀତିକୁ ମୋଦୀ ସରକାରଙ୍କୁ ପୁଣି ଥରେ ଅଡୁଆରେ ପକାଇଛନ୍ତି ନିଜ ସରକାର କ୍ୟାବିନେଟ ମନ୍ତ୍ରୀ ନୀତିନ ଗଡକରୀ। ଗଡକରୀଙ୍କ ବୟାନକୁ ନେଇ ଏବେ ପୁଣି ସରଗରମ ହୋଇଛି ଟିକା ରାଜନୀତି। କରୋନା ଭ୍ୟାକ୍ସିନର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦିଆଯାଉ ବୋଲି ମଙ୍ଗଳବାର ଦିନ ଏକ ଭର୍ଚୁଆଲ୍ ବୈଠକରେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ। ଆଉ ଗଡକରୀଙ୍କ ଏହି ମନ୍ତବ୍ୟକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେଇଛନ୍ତି ଯେ ମନମୋହନ ସିଂ ଏପ୍ରିଲ ୧୮ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତରେ ଦେଖାଦେଇଥିବା ଟିକା ସଙ୍କଟକୁ ଦୂର କରିବା ପାଇଁ ଏକ ଚିଠି ଲେଖି ଥିଲେ । କିନ୍ତୁ ତାଙ୍କ ବସ୍ ଆର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀ କଣ ସେମାନଙ୍କ କଥା ଶୁଣୁଛନ୍ତି କି ବୋଲି ଜୟରାମ ରମେଶ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର ଦିନ ଭାରତର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, “ଯଦି ଟିକା ଉତ୍ପାଦନ ଅନୁସାରେ ଚାହିଦା ଅଧିକ ତେବେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।

ଏଥିପାଇଁ ଗୋଟିଏ କମ୍ପାନୀ ବଦଳରେ ୧୦ରୁ ଅଧିକ କମ୍ପାନୀକୁ ଟିକା ଉତ୍ପାଦନରେ ଲଗାଇବା ଉଚିତ୍ । ତେଣୁ ପ୍ରଧାନମନ୍ତ୍ରୀ ଏସମ୍ପର୍କରେ ଚିନ୍ତା କରିବା ଉଚିତ୍ ବୋଲି ଗଡକରୀ ଏହି ବୈଠକରେ କହିଥିଲେ । ଏଥିସହ ଦେଶରେ ଜୀବନ ରକ୍ଷାକାରୀ ଟିକାର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରିବା ଲାଗି ଆଇନ୍ ମଧ୍ୟ ପ୍ରସ୍ତୁତ କରାଯିବ । ଏଥିରେ ଔଷଧର ପେଣ୍ଟେଟ ଧାରକକୁ ଅନ୍ୟ ଔଷଧ କମ୍ପାନୀ ଦ୍ୱାରା ୧୦% ରୟାଲଟି ଦେବାର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ଗଡକରୀ ପରାମର୍ଶ ଦେଇଥିଲେ। ତେବେ ବିବାଦ ବଢିବା ପରେ ଗୁରୁବାର ଦିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ଟିକା ଉତ୍ପାଦନକୁ ସରକାର ନେଇଥିବା ପଦକ୍ଷେପ ଉପରେ ମୁଁ ଅବଗତ ନଥିଲି।

ସେ ଟ୍ବିଟ୍ କରି କହିଛନ୍ତି , “ମୁଁ ଜାଣି ନଥିଲି ଯେ ରସାୟନ ମନ୍ତ୍ରଣାଳୟ ଗତକାଲି ମୋର ପରାମର୍ଶ ଦେବା ପୂର୍ବରୁ ଏହି ଉଦ୍ୟମ ଆରମ୍ଭ କରିଥିଲା। ଭାରତ ସରକାର 12 ଟି ଭିନ୍ନ ଭିନ୍ନ କମ୍ପାନୀ ଦ୍ବାରା ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହା ଦ୍ବାରା ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ” ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏ ନେଇ ଚିଠି ଲେଖିଥିଲେ । କେନ୍ଦ୍ର ପକ୍ଷରୁ ଟିକା ନିର୍ମାଣ କରୁଥିବା ଦୁଇ କମ୍ପାନୀର ଫର୍ମୁଲା ଅନ୍ୟ ଯୋଗ୍ୟ ଔଷଧ ନିର୍ମାତା କମ୍ପାନୀକୁ ଦିଆଯିବା ଉଚିତ୍ । ଯାହା ଫଳରେ ଟିକାର ଉତ୍ପାଦନ ବଢାଯାଇପାରିବ ।

Related Posts