ବିଚାରପତିଙ୍କ ବିରୋଧରେ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା, ଇମ୍ରାନ ଖାନଙ୍କ ନାଁରେ ଜାରି ହେଲା ୱାରେଣ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନ । ତାଙ୍କ ନାଁରେ ଏକ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ । ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାର ଦିନ ଏହି ଓ୍ବାରେଣ୍ଟ ଜାରି କରିଥିବା ସୂଚନା ମିଳିଛି ।ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ। ଏହାପରେ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ପିଟିଆଇ କର୍ମୀ ଶେହବାଜ୍ ଗିଲଙ୍କୁ ମଧ୍ୟ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ ଏକ ଜନସଭାରେ କହିଥିଲେ ଯେ, ବିଚାରପତି ଚୌଧୁରୀଙ୍କୁ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ମଧ୍ୟ ଏହି ସଭାରେ ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।

Related Posts