ଜାହାଙ୍ଗୀରପୁରୀ ହିଂସା ମାମଲା; ଅନୁମତି ନଥାଇ କେମିତି ଶୋଭାଯାତ୍ରା ହେଲା ବୋଲି ପୁଲିସକୁ ପ୍ରଶ୍ନ କଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସା ମାମଲାକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ରୋହିଣୀ କୋର୍ଟ ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଜାମିନ ଆବେଦନକୁ ଖାରଜ କରି ରୋହିଣୀ କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ କରିବା ଦ୍ବାରା ସାକ୍ଷୀ ପ୍ରଭାବିତ ହୋଇପାରନ୍ତି। ଅଭିଯୁକ୍ତମାନେ ଏହି ଅଞ୍ଚଳର ଜଣାଶୁଣା ଅପରାଧୀ। ଏମାନଙ୍କୁ ମୁୁକ୍ତ କରାଗଲେ କେହି ସାକ୍ଷୀ ଦେବାକୁ ଆଗକୁ ଆସିବେ ନାହିଁ। ଜାମିନ ଆବେଦନକୁ ଖାରଜ କରିବା ସହିତ ବେଆଇନ ଶୋଭାଯାତ୍ରା ବନ୍ଦ ନକରିବାରୁ କୋର୍ଟ ଦିଲ୍ଲୀ ପୁଲିସକୁ ତାଗିଦ କରିଛନ୍ତି।

ଶୁଣାଣି ସମୟରେ ଅଦାଲତ ଦିଲ୍ଲୀ ପୁଲିସକୁ ପଚାରିଛନ୍ତି ଯେ ଅନୁମତି ନ ମିଳିବା ପରେ ଶୋଭାଯାତ୍ରା କିପରି ଚାଲିଥିଲା? ଦାଲତ କହିଛନ୍ତି ଯେ, ଅନୁମତି ନପାଇ ମଧ୍ୟ ଶୋଭାଯାତ୍ରା କରାଯାଇଥିବାରୁ ଏବଂ ହିଂସା ହେବା ପରେ ଏହାକୁ ଅଟକାଇପାରିନଥିବାରୁ ଏହା ଦିଲ୍ଲୀ ପୁଲିସର ବିଫଳତାକୁ ଦର୍ଶାଉଛି। ଏଥିରୁ ଜଣାପଡୁଛି ଯେ ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି। ଭବିଷ୍ୟତରେ ଯେମିତି ଏପରି ଘଟଣା ଘଟିବ ନାହିଁ ଏବଂ ପୁଲିସ ଯେମିତି ବେଆଇନ କାର‌୍ୟ୍ୟକଳାପ ବନ୍ଦ କରିବାରେ ବିଫଳ ହେବ ନାହିଁ, ସେ ଦିଗରେ ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ଜରୁରୀ ବୋଲି କହିଛନ୍ତି ।

Related Posts