ଜୟପୁର ବିଧାୟକଙ୍କ ସଙ୍ଗୀନ ଅଭିଯୋଗ : ” ବିଜେଡ଼ି ସମ୍ପର୍କରେ ଅଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ” ବିଜେଡି ସହିତ ଅଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲକା ଏହି କଥା କହିଛନ୍ତି। ଏହାର ରେକର୍ଡିଂ ମଧ୍ୟ ରହିଛି। ” – ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି। ତାରାଙ୍କ ଏହି ବୟାନକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ଏବେ କମ୍ପାନ ସୃଷ୍ଟି ହୋଇଛି। ଗତ କିଛିଦିନ ହେବ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରୁଥିବା ତାରା ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏଭଳି ସନ୍ ସନି ଖୁଲାସା କରିଛନ୍ତି।

ତାରା ବିହୀନ ପତି କହିଛନ୍ତି, ” କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଜୁ ଜନତା ଦଳ ସମ୍ପର୍କରେ ଅଛନ୍ତି। ଏ ସମ୍ପର୍କରେ କୋରାପୁଟ ସାସଂଦ ସପ୍ତଗିରି ଉଲାକା ତାଙ୍କୁ ଟେଲିଫୋନରେ କହିଛନ୍ତି। ଏହାର ରେକର୍ଡିଂ ମଧ୍ୟ ତାଙ୍କ ପାଖରେ ଥିବା ସେ ସାକ୍ଷାତକାରରେ କହିଛନ୍ତି। ଏମିତିକି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଅବଗତ ଥିବା କୋରାପୁଟ ସାସଂଦ ତାଙ୍କୁ କହିଛନ୍ତି ବୋଲି ତାରା ପ୍ରସାଦ ବାହିନୀ ପତି କହିଛନ୍ତି। ଅଧିକନ୍ତୁ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର ମଧ୍ୟ ଜାଣନ୍ତି ଯେ ‘ ନରସିଂହ ମିଶ୍ର ବିଜେଡି ସହ ଅଛନ୍ତି’ ବୋଲି ତାରା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ମୋତେ ( ସପ୍ତଗିରି ଉଲାକା) ଦୁଇ ଦିନ ସମୟ ଦେଲେ ତାଙ୍କୁ (ନରସିଂହ ମିଶ୍ର) ଦଳରୁ ବାହାର କରିଦେବି ବୋଲି ତାରା କହିଛନ୍ତି। ଗତ କିଛିଦିନ ତଳେ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ SIT ତଦନ୍ତ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏହାକୁ କୋର୍ଟ ମନିଟର କହି ବିବାଦ ଘେରକୁ ଆସିଥିଲେ ନରସିଂହ ମିଶ୍ର। 

କେବଳ ଏତିକି ନୁହେଁ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ କଂଗ୍ରେସରେ ଟିକେଟ୍ ବିକ୍ରି ହେଉଛି। ଏବଂ ପିସିସି ସଭାପତି ଟିକେଟ୍ ବିକି ଟଙ୍କା ଖାଇଛନ୍ତି ବୋଲି ଜୟପୁର ବିଧାୟକ ଅଭିଯୋଗ କରିଛନ୍ତି। ଏମିତିକି ପିସିସି ସଭାପତି ଦଳ ଭିତରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ସେ କହିଛନ୍ତି। ତାରା ଦିଲ୍ଲୀ ଯାଇ ଏ ସମ୍ପର୍କରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। 

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଥିଲା। ୨୦୦୪ ବିଧାନସଭା ନିର୍ବାଚନରେ ଦଳର ଭୋଟ୍ ହାର ୩୪.୮୨ ପ୍ରତିଶତ ଥିଲା, ଏବଂ ଆସନ ସଂଖ୍ୟା ୩୮ ଥିଲା। ୨୦୧୯ ନିର୍ବାଚନ ବେଳକୁ ଭୋଟ ହାର ହ୍ରାସ ପାଇ ୧୬ ପ୍ରତିଶତରେ ପହଞ୍ଚି ଥିଲା , ଆସନ ସଂଖ୍ୟା ୯ କୁ ଖସି ଆସିଥିଲା। ସ୍ଥିତି ଏମିତି ହୋଇଯାଇଥିଲା ଯେ ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିଲା।

ଉଲ୍ଲେଖନୀୟ କଥା ହେଉଛି ଗତ କିଛିଦିନ ହେବ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କଂଗ୍ରେସ ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି। ପିସିସି ସଭାପତି ଜଣେ ଅଯୋଗ୍ୟ ବ୍ୟକ୍ତି। ସଭାପତି ପୂର୍ବରୁ ରାଜ୍ୟରେ ସମସ୍ତଙ୍କୁ ଜିତାଇବେ ବୋଲି କହିଥିଲେ, ୨୦୧୯ ନିର୍ବାଚନ ପରେ ମାତ୍ର ୯ ବିଧାୟକ ବିଧାନସଭାକୁ ଆସିଥିଲେ। ସଭାପତି ଭାବେ ରହି କ’ଣ କରିବେ ସେ ଇସ୍ତଫା ଦେବା ଦରକାର ବୋଲି ତାରା କହିଥିଲେ।  ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାକୁ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ହେବ ବୋଲି ସେ ବୟାନ ଦେଇଥିଲେ ।

Related Posts