ବାଇକ୍ ଚୋରି ରାକେଟକୁ ଠାବ କଲା ଯାଜପୁର ରୋଡ଼ ପୋଲିସ; ୨ ଅଭିଯୁକ୍ତ ଗିରଫ, ୧୫ ଚୋରା ବାଇକ୍ ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ଜିଲ୍ଲା ବ୍ୟାସନଗର ସହରାଞ୍ଚଳରୁ ଏକ ବାଇକ୍ ଚୋରି ରାକେଟ ଠାବ କରିବାରେ ସକ୍ଷମ ହୋଇଛି ଯାଜପୁର ରୋଡ଼ ପୋଲିସ। ବାଇକ୍ ଚୋରିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ ଟି ଚୋରା ବାଇକ୍ ଓ କିଛି ନକଲି ବାଇକ୍ ଚାବି ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ଜେନାପୁର ଥାନା ମର୍ଜିତାପୁର ଅଞ୍ଚଳର ଶୁଶାନ୍ତ ପ୍ରଧାନ ଓ ସୁକିନ୍ଦା ଥାନା ହରିପୁର ଅଞ୍ଚଳର ପ୍ରକାଶ ଭୁୟାଁ ବୋଲି ଜଣାପଡିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନା ମୁତାବକ ଗତ କିଛିଦିନ ତଳେ ବ୍ୟାସନଗର ସହରର ଡ଼ାକବଙ୍ଗଳା ଛକରୁ ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିସହିତ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ଏବଂ ବିକ୍ରି କରିଥିବା ୧୫ଟି ବାଇକ୍ ଓ କିଛି ନକଲି ବାଇକ୍ ଚାବି ପୋଲିସ ଜବତ କରିଥିଲା। ଗିରଫ ଏହି ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ କହିଛି।

Related Posts