(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ ହେବେ ଆଗାମୀ ରାଜ୍ୟ ମୁଖ୍ୟ ସୂଚନା କମିସନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କ ନାଁ ଉପରେ ମୋହର ବାଜିଛି ଓ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ସେ ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ମାସ ୧୫ତାରିଖରେ ଅବସର ନେବା ପରେ ଏହି ପଦବି ଖାଲି ପଡ଼ିଥିଲା। ଜୁଲାଇ ୩୧ରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତ କାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ।
ବୈଠକରେ ତାମିଲନାଡ଼ୁ କ୍ୟାଡରର ପୂର୍ବତନ ଆଇପିଏସ୍ ଅଫିସର ତଥା ଓଡ଼ିଆ ପୁଅ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ବର୍ତ୍ତମାନ ରାଜ୍ୟ ସୂଚନା କମିଶନରେ ବାଳକୃଷ୍ଣ ମହାପାତ୍ରଙ୍କ ସମେତ ବିକ୍ରମ କୁମାର ସେନାପତି, ଦିଲ୍ଳୀପ କୁମାର ବିଶୋୟୀ ଓ ସଞ୍ଜୟ କେଶରୀ ସ୍ୱାଇଁ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଜେକେ ତ୍ରିପାଠୀଙ୍କ ନାଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦୌଡ଼ରେ ରହିଥିଲା । ତାମିଲନାଡୁ କ୍ୟାଡ଼ରର ଓଡ଼ିଆ ଆଇପିଏସ୍ ଶ୍ରୀ ତ୍ରିପାଠୀ ୨୦୨୧ ଜୁନ୍ ୩୦ତାରିଖରେ ପୁଲିସ ଡିଜି ପଦବୀରୁ ଅବସର ନେଇଥିଲେ । ୨୦୦୮ ମସିହାରେ ଶ୍ରୀ ତ୍ରିପାଠୀ ପ୍ରଥମ ପୁଲିସ୍ ଭାବେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ତ୍ରିପାଠୀଙ୍କ ଘର ହେଉଛି କଟକ ଜିଲ୍ଲାର ସାଲେପୁର ବ୍ଲକର ଭେଡ଼ା ଗାଁରେ ।