ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ପାଇଁ ଜାମ୍ମୁ ଓ କାଶ୍ମୀର ନେତାଙ୍କୁ ଦିଲ୍ଲୀ ଡାକରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୪ ତାରିଖରେ ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଆମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ବରିଷ୍ଠ ରାଜନେତାଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆମନ୍ତ୍ରଣ କରିଛନ୍ତି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ବୈଠକରେ ଯୋଗଦେବା ପାଇଁ କୁହାଯାଇଛି। ଏହି ବୈଠକରେ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ପାଇଁ ଭବିଷ୍ୟତ ରଣନୀତି ଉପରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆସନ୍ତା ୨୪ ତାରିଖରେ ପ୍ରଥମ ଥର ପାଇଁ ଏଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଚାରିଜଣ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ – କଂଗ୍ରେସ ନେତା ତାରା ଚାନ୍ଦ, ପିପୁଲ୍ସ କନଫରେନ୍ସ ନେତା ମୁଜାଫର ହୁସେନ୍ ବାଏଗ ଏବଂ ବିଜେପି ନେତା ନିର୍ମଳ ସିଂ ଏବଂ କବିନ୍ଦର ଗୁପ୍ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସିପିଏମ୍ ନେତା ମହମ୍ମଦ ୟୁସୁଫ୍ ତରିଗାମି, ଜାମ୍ମୁ କାଶ୍ମୀର ଆପ୍ନି ପାର୍ଟି (ଜେ.କେ.ପି.) ମୁଖ୍ୟ ଅଲତାଫ ବୁଖାରୀ, ପିପୁଲ୍ସ କନଫରେନ୍ସ ନେତା ସାଜାଦ ଲୋନ, ଜମ୍ମୁ ଓ କଶ୍ମୀରର କଂଗ୍ରେସ ମୁଖ୍ୟ ଜି ଏ ମିର, ବିଜେପିର ରବିନ୍ଦର୍ ରାଇନା ଏବଂ ପାନ୍ଥର୍ସ ପାର୍ଟି ନେତା ଭୀମ ସିଂ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ଇଣ୍ଟରନେଟ ଉପରୁ ପ୍ରତିବନ୍ଧ ହଟାଇବା ଏବଂ ଜାମ୍ମୁ ଓ କାଶ୍ମୀରର ରାଜନୈତିକ ପ୍ରକ୍ରିୟାକୁ ଆଗେଇନେବା ପାଇଁ, ଏହି ବୈଠକରେ ମାନସମନ୍ଥନ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ ଓ କଶ୍ମୀରର ସ୍ଥିତି ସମୀକ୍ଷା କରିବା ପରେ ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ରୀୟ ନେତାମାନେ ମଧ୍ୟ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳିଛି । ଧାରା ୩୭୦ ହଟାଇବା ପରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ସ୍ରୋତରେ ଥିବା ରାଜନୈତିକ ପାର୍ଟି ଗୁଡିକ ଏହାକୁ ନେଇ କଡା ବିରୋଧ କରି ଆସୁଛନ୍ତି। ମୁଖ୍ୟ ସ୍ରୋତ ଦଳଗୁଡିକ ଗୁପକାର ଗଠବନ୍ଧନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକରେ ନ୍ୟାସନାଲ୍ କନଫରେନ୍ସ , ପିଡିପି ଏବଂ କଂଗ୍ରେସ ପାର୍ଟି ଯୋଗଦେବେ କି ନାହିଁ ସେ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଇଛନ୍ତି। ପିଡିପି ଅଧ୍ୟକ୍ଷା ମେହବୁବା ପିଟିଆଇକୁ କହିଛନ୍ତି ଯେ , ” ଦିଲ୍ଲୀ ସହ ଆଲୋଚନା ସମ୍ପର୍କରେ କୌଣସି ସ୍ପଷ୍ଟ ଏଜେଣ୍ଡା ନାହିଁ। ତଥାପି ମୁଁ ମୋ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ସହ ଆଲୋଚନା ପାଇଁ ବୈଠକ ଡାକିଛି । ସେ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ ଆଲୋଚନା ପରେ ନିଷ୍ପତ୍ତି ନେବେ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଗାମୀ ଦିନରେ ସେଠାରେ ନିର୍ବାଚନ ହେବା ନେଇ ଅନୁମାନ କରାଯାଉଛି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ସେଠାରେ ନିର୍ବାଚନ ହୋଇପାରେ ବୋଲି ସୂଚନା ରହିଛି।

Related Posts