ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ବଡ଼ ନିଷ୍ପତ୍ତି: କାଶ୍ମୀର ଉପତ୍ୟାକାରେ ନିୟୋଜିତ ଥିବା ସମସ୍ତ ହିନ୍ଦୁ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର

ଶ୍ରୀନଗର: ହିନ୍ଦୁ କର୍ମଚାରୀଙ୍କର ବାରମ୍ବାର ହତ୍ୟାକୁ ନେଇ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କାଶ୍ମୀର ଉପତ୍ୟାକାରେ ନିୟୋଜିତ ଥିବା ସମସ୍ତ ହିନ୍ଦୁ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମୁତୟନ ଥିବା ସଂଖ୍ୟାଲଘୁ ହିନ୍ଦୁ କର୍ମଚାରୀଙ୍କର ବାରମ୍ବାର ହତ୍ୟା ପରେ ଉପରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଛନ୍ତି।

ଏନେଇ ଶ୍ରୀ ସିହ୍ନା ଶ୍ରୀନଗରରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ପୁଲିସ ଓ ପ୍ରଶାସନିକ ବିଭାଗର ବଡ଼ ବଡ଼ କର୍ମଚାରୀ ଉପସ୍ଥିତ ଥିଲେ। ଯେଉଁ ହିନ୍ଦୁ କର୍ମଚାରୀମାନେ ଦୂରଦୂରାନ୍ତରେ ଚାକିରି କରୁଛନ୍ତି ସେମାନଙ୍କୁ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତା ସହ ଜାମ୍ମୁ-କାଶ୍ମୀର ହିନ୍ଦୁ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ସରକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ଉପରାଜ୍ୟାପାଳଙ୍କ ସଚିବାଳୟରେ କାମ କରୁଥିବା ନୋଡାଲ ଅଫିସରମାନେ ସଂଖ୍ୟାଲଘୁ କର୍ମଚାରୀଙ୍କ ଅନ୍ୟ ଅଭିଯୋଗଗୁଡ଼ିକ ଶୁଣିବେ। ଯେଉଁକର୍ମଚାରୀମାନେ ଜିଲ୍ଲାମୁଖ୍ୟାଳୟରେ କାମ କରିବାକୁ ଅନିଚ୍ଛୁକ ଓ ସିଫ୍ଟକୁ ନେଇ ଅଭିଯୋଗ ରହିଛି ସେମାନେ ଯଦି ଜାମ୍ମୁ ଅଞ୍ଚଳକୁ ଟ୍ରାନ୍ସଫର ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଟ୍ରାନ୍ସଫର କରାଯିବ ବୋଲି ସୂଚନା ମିଳିଛି।

ଗତକାଲି କୁଲଗାମ ଜିଲ୍ଲା ଗୋପାଲପୋରାରେ ମହିଳା ହିନ୍ଦୁ ସରକାରୀ କର୍ମଚାରୀ ରେଣୁବାଳାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେହିପରି ବୁଡଗାମ ଜିଲ୍ଲାରେ ମେ ୧୨ ତାରିଖରେ ଆୟକର ବିଭାଗରେ କିରଣୀ ଥିବା ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା। ଟିଭି ଆର୍ଟିଷ୍ଟ ଅମ୍ରୀନ ଭଟ୍ଟଙ୍କୁ ମଧ୍ୟ ଲସ୍କର ଇ ତାଇବା ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ଦିନକୁ ଦିନ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢ଼ୁଥିବା ଦେଖିବାକୁ ମିଳିଛି ।

Related Posts