ଜମ୍ମୁ ଓ କଶ୍ମୀରକୁ ସ୍ପେଶାଲ ଷ୍ଟାଟସ ନମିଳିବା ପର୍ଯ୍ୟନ୍ତ ନିର୍ବାଚନ ଲଢିବି ନାହିଁ : ମେହବୁବା ମୁଫ୍‌ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜମ୍ମୁ କଶ୍ମୀର ରାଜନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ବିଧାନସଭା ନିର୍ବାଚନ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି’ର ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଘୋଷଣା କରିଛନ୍ତି ଯେ ଜମ୍ମୁ ଓ କଶ୍ମୀରକୁ ସ୍ପେଶାଲ ଷ୍ଟାଟସ ଅର୍ଥାତ୍ ଧାରା ୩୭୦ ଏବଂ ୩୫ ଏ ପ୍ରତ୍ୟର୍ପଣ ନ କରାଯିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ। ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରରେ 5 ଅଗଷ୍ଟ 2019 ପୂର୍ବ ସ୍ଥିତି ନଫେରିବା ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀର ଜନତାଙ୍କ ‘ଦିଲ୍ କି ଦୂରି’ ହଟାଇବାକୁ ପଡିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ବର୍ତ୍ତମାନ ଦମନ ଏବଂ ଅତ୍ୟାଚାରର ଯୁଗ ଶେଷ ହେବା ଆବଶ୍ୟକ। ଜତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ମୁଁ ଅନେକ ଥର ସ୍ପଷ୍ଟ କରିସାରିଛି ଯେ ମୁଁ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ, କିନ୍ତୁ ଏଥି ସହିତ ମୋର ଦଳ (ପିଡିପି) ଏହା ମଧ୍ୟ ଜାଣିଛି ଯେ ଆମେ ଅନ୍ୟ କାହାକୁ ରାଜନୈତିକ ସ୍ଥାନ ଦେବୁ ନାହିଁ। ତେଣୁ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ​​ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥିଲୁ ବୋଲି ମେହବୁବା କହିଛନ୍ତି। ସୂଚନାଯୋଗ୍ୟ ଯେ , ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀର ସମସ୍ୟା ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସେଠାକାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ବୈଠକ ଡକାଇଥିଲେ। ଏହି ବୈଠକରେ ଜମ୍ମୁ-କଶ୍ମୀରର ୧୪ ଜଣ ରାଜନେତା ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସରୁ ଗୁଲାମ ନବୀ ଆଜାଦ, ଚାରା ଚାନ୍ଦ ଓ ଜି.ଏ ମୀର, ନ୍ୟାସନାଲ କନ୍ଫରେନ୍ସର ଫାରୁକ୍ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି , ଅପ୍ନି ପାର୍ଟିର ଅଲତାଫ୍ ବୁଖାରି, ବିଜେପିର ରବୀନ୍ଦ୍ର ରୈନା, ନିର୍ମଳ ସିଂହ, କବିନ୍ଦର ଗୁପ୍ତା, ସିପିଏମ୍ ର ଏମ.ୱାଇ.ତାରିଗାମି, ପାନ୍ଥର୍ସ ପାର୍ଟିର ପ୍ରଫେସର ଭୀମ ସିଂହ ଓ ପିପୁଲ୍ସ କନ୍ଫରେନ୍ସର ସଜ୍ଜାଦ ଗନି ଲୋନ୍ ଯୋଗଦେଇଥିଲେ।

Related Posts