ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡରେ ଜାରି ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଚର୍ଚ୍ଚା ହେଉଛି ଯେ, ହେମନ୍ତ ତାଙ୍କ ବିଧାନସଭା ସଦସ୍ୟତା ଛାଡିବେ । ଏଥିଲାଗି ହେମନ୍ତ ସୋରେନ ଅପରାହ୍ନ ୪ଟା ବେଳେ କ୍ୟାବିନେଟ୍ ବୈଠକ ଆହ୍ୱାନ କରିଥିବା ବେଳେ ଏହି ବୈଠକ ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହାପରେ ହେମନ୍ତ ସୋରେନ ଦ୍ୱିତୀୟ ଥର ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ (ଇସିଆଇ) ହେମନ୍ତ ସୋରେନଙ୍କ ବିରୋଧରେ ଅଫିସ ଅଫ ପ୍ରଫିଟ ମାମଲାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବା ଲାଗି ଇସିଆଇ ସୁପାରିଶ କରିଛନ୍ତି। ତେବେ ମାମଲାରେ ରାଜ୍ୟପାଳ ରମେଶ ବ୍ୟାସ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ପାରିନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରି ନାହାନ୍ତି। ତେବେ ରାଜ୍ୟପାଳ ଖୁବ୍ ଶୀଘ୍ର ଏ ବାବଦେ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ରଦ୍ଦ ସଂକ୍ରାନ୍ତରେ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇବ ବୋଲି ଅନେକ ସମୟରୁ ଚର୍ଚ୍ଚା ଲାଗି ରହିଛି। ଏ ଦିଗରେ ରାଜ୍ୟପାଳଙ୍କ ପକ୍ଷରୁ କୌଣରି ପ୍ରଗତି ହେଉ ନଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜପକ୍ଷରୁ ପଦକ୍ଷେପ ନେବା ସହ ବିଧାସଭା ସଦସ୍ୟ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି।
