କଂଗ୍ରେସରେ ଯୋଗଦେଇ ବିଜେପିର ଭାଷା କହୁଛନ୍ତି ବିଜୟ: ବିଜେଡି

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ତିନି ଦିନ ତଳେ ଦିଲ୍ଲୀରେ କଂଗ୍ରେସରେ ସାମିଲ ହୋଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି ଭୁବନେଶ୍ବର ଫେରି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ତେବେ ବିଜୟଙ୍କ ଟାର୍ଗେଟ ପରେ ଏହାର ଜବାବ୍ ଦେଇଛି ଶାସକ ବିଜୁ ଜନତା ଦଳ। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ମିଟ୍ କରି କହିଛନ୍ତି ଯେ, ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣି ଲାଗିଲା ଯେ, ସେ କଂଗ୍ରେସର ନୁହେଁ ବରଂ ବିଜେପିର ଜଣେ ମୁଖପାତ୍ର ଭାବେ କଥା ହେଉଛନ୍ତି।

ଲେନିନ ଆହୁରି କହିଛନ୍ତି ଯେ, ସରକାରୀ ଚାକିରୀରୁ ଅବସର ପରେ ବିଜୟ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବାକୁ ବ୍ୟାକୁଳ ଥିଲେ। ଏଥିପାଇଁ ସେ ବିଜେଡିରେ ଯୋଗଦେଇ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ। ହେଲେ ତାହା ସମ୍ଭବ ନହେବାରୁ ବିଭିନ୍ନ ଆଡେ ବୁଲିବୁଲି ଶେଷରେ କଂଗ୍ରେସରେ ଯୋଗଦେଲେ। ତେବେ ବିଜୟ ପଟ୍ଟନାୟକ ଭବିଷ୍ୟତରେ କଂଗ୍ରେସରେ ରହି ମଧ୍ୟ ବିଜେପିର ପ୍ରବକ୍ତାଙ୍କ ଭଳି କାମ କରିବେ ବୋଲି ତାଙ୍କ ପ୍ରଥମ ପ୍ରେସମିଟରୁ ସ୍ପଷ୍ଟ ହୋଇଛି ବୋଲି ଲେନିନ ମହାନ୍ତି କହିଛନ୍ତି।

Related Posts