ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ହେଲେ ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ: ହିମାଚଳ ପ୍ରଦେଶ ସରକାରର ପ୍ରଶାସନ

ଦିଲ୍ଲୀ: ଆସନ୍ତାକାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ସାଙ୍ଗକୁ ରାଲି ରହିଛି । ତେବେ ଏଥିରେ ଯୋଗ ଦେବାକୁ ହେଲେ ସାମ୍ବାଦିକଙ୍କୁ ଦେବାକୁ ପଡିବ କ୍ୟାରେକ୍ଟର ସାର୍ଟିଫିକେଟ ବା ଚରିତ୍ର ପ୍ରମାଣପତ୍ର । ଏହି ସମୟରେ ଯେଉଁ ସାମ୍ବାଦିକମାନେ ଯୋଗ ଦେବେ ସେମାନେ କ୍ୟାରେକ୍ଟର ସାର୍ଟିଫିକେଟ ଦେବେ । ରିପୋର୍ଟର ଫଟୋ ଏବଂ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ପାଇଁ ଏହି ନିୟମ ରହିଛି । ହିମାଚଳ ପ୍ରଦେଶ ସରକାରର ପ୍ରଶାସନ ଏହି ନିୟମ ଜାରି କରିଛି ।

ସେପ୍ଟେମ୍ବର ୨୯ରେ ଏହି ନୂଆ ନିୟମ ଜାରି କରିଥିଲା ପ୍ରଶାସନ । ଅକ୍ଟୋବର ୧ ସୁଦ୍ଧା କ୍ୟାରେକ୍ଟର ସାର୍ଟିଫିକେଟ ଦେଇ ଆଇଡି କାର୍ଡ ନେବାକୁ କହିଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦେଖି ଏପରି କରାଯାଇଛି ବୋଲି କୁହାଯାଇଛି । ଯାହାକୁ ନେଇ ବଢୁଛି ବିରୋଧ, ବଢୁଛି ବିବାଦ । କେବଳ ଘରୋଇ ଟିଭି ଓ ଖବରକାଗଜର ସାମ୍ବାଦିକମାନେ ନୁହେଁ ବରଂ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓର ସାମ୍ବାଦିକମାନେ ମଧ୍ୟ କ୍ୟାରେକ୍ଟର ସାର୍ଟିଫିକେଟ ପ୍ରଦାନ କରିବେ । ଏହି କ୍ୟାରେକ୍ଟର ସାର୍ଟିଫିକେଟ ଏସପି, ସିଆଇଡି ପ୍ରଦାନ କରିବେ ।

ହିମାଚଳ ପ୍ରଦେଶ କଂଗ୍ରେସର ନେତା ନରେଶ ଚୌହ୍ୱାନ କହିଛନ୍ତି, ମୋଦୀ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ଆସୁ ନାହାନ୍ତି । ପୂର୍ବରୁ ମଧ୍ୟ ଆସିଛନ୍ତି । ରାଜ୍ୟରେ ନିଜ ଦଳର ସରକାର ରହିଛି । ଏବେ ସାମ୍ବାଦିକଙ୍କୁ କ୍ୟାରେକ୍ଟର ସାର୍ଟିଫିକେଟ ଦେବାକୁ କହି ଅପମାନିତ କରିଛନ୍ତି । ଏଭଳି ନିୟମକୁ ସେ ନିନ୍ଦା କରିଛନ୍ତି । ଏପରି କରି ବାକ୍ ସ୍ୱାଧୀନତା ଉପରେ ରୋକ୍ ଲଗାଇବାକୁ ପ୍ରୟାସ କରାଯାଉଛି । ଆସନ୍ତାକାଲି ମୋଦୀ ହିମାଚଳ ପ୍ରଦେଶ ବିଳାଶପୁରରେ ଏମ୍ସର ନୂଆ କ୍ୟାମ୍ପସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts