ହାଇସ୍କୁଲ ଛାତ୍ରଙ୍କ କମାଲ୍‌, ଉତ୍‌କ୍ଷେପଣ ହେଲା ବିଶ୍ବର ସବୁଠାରୁ ଛୋଟ ସାଟେଲାଇଟ୍‌

ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୁରୁବାର ଇସ୍ରୋର ଆଉ ଏକ ବଡ଼ ସଫଳତା ହାସଲ କରିଛି ସତ କିନ୍ତୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଏହି ସଫଳତା ପଛରେ ରହିଛି ହାଇସ୍କୁଲ ଛାତ୍ରମାନଙ୍କର ହାତ । ପୂର୍ବରୁ ଏକା ସାଙ୍ଗରେ ବହୁ ଉପଗ୍ରହକୁ ସଫଳ ଉତ୍‌କ୍ଷେପଣ କରି ରେକର୍ଡ କରିଥିବା ଇସ୍ରୋ ଗୁରୁବାର କଲା ଆଉ ଏକ ନିଆରା ରେକର୍ଡ ।

ବିଶ୍ବର ସବୁଠାରୁ ଛୋଟ ସାଟେଲାଇଟ୍‌କୁ ସଫଳତାର ସହ ପୃଥିବୀର କକ୍ଷ ପଥରେ ସ୍ଥାପିତ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । କିନ୍ତୁ କଥା ହେଲା ଏହି କ୍ଷୁଦ୍ରତମ ସାଟେଲାଇଟ୍‌କୁ ନିର୍ମାଣ କରିଛନ୍ତି ଚେନ୍ନାଇର ସ୍ପେଶ୍‌ କିଡ୍‌ସ ଇଣ୍ଡିଆର ଛାତ୍ରମାନେ । ଏହି ଛାତ୍ର ମାନଙ୍କ ବାବଦରେ ତ ଆଗକୁ ପଢ଼ିବେ, କିନ୍ତୁ ପ୍ରଥମେ ଏହି ସାଟେଲାଇଟ୍‌ର ସ୍ବତନ୍ତ୍ରତା ବାବଦରେ ଜାଣି ନିଅନ୍ତୁ ।

ଛୋଟ ସାଟେଲାଇଟ୍‌ର ବଡ଼ ଉଡ଼ାଣ କରି ଇସ୍ରୋ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବା ସହ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି । ବିଶ୍ବର ସବୁଠାରୁ ଛୋଟ ସାଟେଲାଇଟ୍‌ର ନାଁ ରଖାଯାଇଛି ‘କଲାମସ୍ୟାଟ୍‌ V-2’ । ଏହାକୁ ତା’ର କକ୍ଷ ପଥରେ ଗୁରୁବାର ମଧ୍ୟ ରାତ୍ରିରେ ସ୍ଥାପିତ କରାଯାଇଛି ।

PSLVC-44 ଲଞ୍ଚ ଭେହିକିଲ୍‌ ମାଧ୍ୟମରେ 2ଟି ସାଟେଲାଇଟ୍‌କୁ ଲଞ୍ଚ କରାଗଲା । ଉତ୍‌କ୍ଷେପଣ ହୋଇଥିବା ଦୁଇଟି ସାଟେଲାଇଟ୍‌ ହେଲା କଲାମସ୍ୟାଟ୍‌ – V2 ଓ ମାଇକ୍ରୋସ୍ୟାଟ୍‌ -R । 1.26 କିଲୋ ଓଜନର କଲାମସ୍ୟାଟ୍‌- V2 ବିଶ୍ବର ସବୁଠାରୁ ଛୋଟ ସାଟେଲାଇଟ୍‌ ।

ଏବେ ଏହାକୁ ନିର୍ମାଣ କରିଥିବା ପିଲାଙ୍କ ବାବଦରେ ଜାଣିବା । କଲାମସ୍ୟାଟ୍‌ – V2ର ନିର୍ମାଣ କରିଛନ୍ତି ସ୍ପେଶ୍‌ କିଡ୍‌ସ ଇଣ୍ଡିଆର ଛାତ୍ରମାନେ । ସ୍ପେଶ୍‌ କିଡ୍‌ସର ଛାତ୍ରମାନେ କଲାମସାଟ୍‌କୁ ମାତ୍ର 6 ଦିନରେ ନିର୍ମାଣ କରିଛନ୍ତି । କଲାମସ୍ୟାଟ୍‌କୁ ନିର୍ମାଣ କରିବାରେ ଛାତ୍ରମାନେ ମାତ୍ର 12 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ସ୍ପେଶ୍‌ କିଡ୍‌ସ ଇଣ୍ଡିଆ ଚେନ୍ନାଇର ଏକ ମହାକାଶ ଶିକ୍ଷା ଷ୍ଟାର୍ଟଅପ୍‌ ଫାର୍ମ । ଓୟାରଲେସ୍‌ କମ୍ୟୁନିକେସନ୍‌ ପାଇଁ କଲାମସ୍ୟାଟ୍‌ର ବ୍ୟବହାର କରାଯିବ । ଇସ୍ରୋ କଲାମସ୍ୟାଟ୍‌କୁ ଲଞ୍ଚ କରିବା ପାଇଁ କୌଣସି ଅର୍ଥ ନେଇନାହିଁ । ଇସ୍ରୋର ଏହି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Posts