ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା: 20 ମୃତ, 21 ଗୁରୁତର

କନୌଜ: ଉତ୍ତରପ୍ରଦେଶର କନୌଜରେ ୧୦ ତାରିଖ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସେଠାକାର ଜେଟିରୋଡ଼ ହାଇଓ୍ବେରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହାତ ହୋଇଛନ୍ତି । ଏକ ଡବଲଡେକର ବସ୍ ଓ ଟ୍ରକ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଦୁଇଟିଯାକ ଗାଡ଼ି ଘଟଣାସ୍ଥଳରେ ଜଳିଯାଇଥିଲା । ବସରେ ୪୦ଜଣ ଯାତ୍ରୀ ଯାଉଥିବା ଜଣାପଡ଼ିଛି । ମୃତକଙ୍କ ସଂଖ୍ୟା ବଢ଼ିବାନେଇ ଆଶଙ୍କା କରାଯାଉଛି ।

କନୌଜର ଜିଲ୍ଲାପାଳ ରବୀନ୍ଦ୍ର କୁମାର କହିଛନ୍ତି ‘‘ ଉତ୍ତରପ୍ରଦେଶର ଫାରୁକାବାଦରୁ ଏହି ବସଟି ଜୟପୁର ଯାଉଥିଲା । ମୁହାଁ ମୁହିଁ ଧକ୍କା ହେବାପରେ ଦୁଇଟିଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୧ ଆହତଙ୍କ ମଧ୍ୟରୁ ୧୩ଜଣଙ୍କୁ ମେଡିକାଲ କଲେଜ ତିର୍ବାକୁ ରେଫର କରାଯାଇଛି’’ । ଏହି ଘଟଣା ଉପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ବ୍ୟକ୍ତ କରି ପରିଜନଙ୍କ ପ୍ରତି ଶୋକ ସମ୍ବେଦନା ଜ୍ଞାପନ କରିଛନ୍ତି । ସେ ସେଠାକାର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳରେ ରହି ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଆହତମାନଙ୍କୁ ତୁରନ୍ତ ଚିକିତ୍ସା କରିବା ଲାଗି ମଧ୍ୟ କହିଛନ୍ତି । ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇଦେଇଥିବାବେଳେ ଆହତଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦେବାଲାଗି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାଲାଗି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣା ଲାଗି ଶୋକବ୍ୟକ୍ତ କରି ନିଜ ଟୁଇଟର ହ୍ୟାଣ୍ଡେଲରୁ ‘‘ କନୌଜରେ ଘଟିଥିବା ଭୀଷଣ ସଡ଼କ ଦୁର୍ଘଟଣା ସମ୍ପର୍କରେ ଜାଣି ଅତ୍ୟନ୍ତ ଦୁଃଖିତ ଅଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଛି । ମୁଁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ଗଭୀର ସମ୍ବେଦନ ପ୍ରକାଶ କରୁଛି । ଏହା ସହିତ ଆହତମାନଙ୍କୁ ଶୀଘ୍ର ସୁସ୍ଥ ହେବା ଲାଗି କାମନା କରୁଛି’’ ବୋଲି ଲେଖିଛନ୍ତି ।

Related Posts